କେନ୍ଦୁଝର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦୁଝରଗଡ଼ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଏବଂ ମହାରାଣୀ ସୁନେନ୍ଦିନୀ ଭଞ୍ଜଦେଓ । ରବିବାର ଦିନ ଉଭୟ ୨୫ ନମ୍ବର ଜିଲ୍ଲାପରିଷଦ ଜୋନ୍ର ବିଜେପି ପ୍ରାର୍ଥୀ ରଂଜିତ ବାରିକଙ୍କ ସପକ୍ଷରେ ପ୍ରଚାର ପାଇଁ ପାଞ୍ଚପିଢ଼ ସର୍ଦ୍ଦାର କୁଞ୍ଜ ଦେହୁରୀଙ୍କ ଘରକୁ ଯାଇଥିଲେ । ରାସ୍ତାରେ ଯିବାବେଳେ ଦଅଁଳା ଛକରେ କିଛି ବିଜେଡି ନେତା ଓ କର୍ମୀ ରାସ୍ତାରେ ପଥର, କାଠ ପକାଇ ରାସ୍ତା ଅବରୋଧ କରିବା, ପ୍ରଚାର ପାଇଁ ଯିବାକୁ ବାରଣ କରିଥିବା ଅଭିଯୋଗ ହୋଇଛି । ରାଜାରାଣୀ ସେହି ରାସ୍ତାରେ ନଯାଇ ଅନ୍ୟ ଏକ ରାସ୍ତାରେ ଯାଇ ପ୍ରଚାର କରିଥିବା ଜଣାପଡ଼ିଛି ।
ବିଭିନ୍ନ ଭୂୟାଁ, ଜୁଆଙ୍ଗ ଗ୍ରାମରେ ରାଜାରାଣୀଙ୍କୁ ପାଖରେ ପାଇ ଲୋକେ ଭାବବିହ୍ବଳ ହୋଇପଡ଼ିଥିଲେ । ଉଭୟଙ୍କୁ ବନ୍ଦାପନା କରି ଗାଁ ବୁଲାଇଥିଲେ । ରାଜାରାଣୀ ମଧ୍ୟ ଲୋକଙ୍କ ସୁଖଦୁ୍ଃଖ ବୁଝିଥିଲେ । ତାଙ୍କ ସହିତ ବିଜେପି ପ୍ରାର୍ଥୀ ରଂଜିତ ବାରିକ, ବିଜେପି ଜିଲ୍ଲା ଉପସଭାପତି ଗୋପୀନାଥ ରାମ ଏବଂ ସମର୍ଥକମାନେ ଥିଲେ । ଏନେଇ ରାଜା ଶ୍ରୀ ଭଞ୍ଜଦେଓ କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କ ସମାନ ଅଧିକାର ଅଛି । କେହି କାହାରିକୁ ପ୍ରଚାର କରିବାରେ ରୋକିପାରିବେ ନାହିଁ । ସମାଜରେ ଯେଉଁମାନେ ଉନ୍ନତି କରିପାରିବେ ଏବଂ ଦୁର୍ନୀତିକୁ ଦୃଢ଼ହସ୍ତରେ ଦମନ କରିପାରିବେ ସେହିପରି ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିବାକୁ ବାହାରିଛନ୍ତି । ଯେଉଁମାନେ ତାଙ୍କ ରାସ୍ତା ଅଟକାଇଥିଲେ ସେମାନେ ପ୍ରବଳ ମାତ୍ରାରେ ମଦ୍ୟପାନ କରିଥିଲେ । ସେମାନେ ନିଜ ଇଚ୍ଛାରେ ଏପରି କରିନାହାନ୍ତି । କେହି ସେମାନଙ୍କୁ ଏପରିକ କରିବାକୁ ପ୍ରୋତ୍ସାହିତ କରିଥିବା ସେ ସନ୍ଦେହ କରୁଛନ୍ତି ବୋଲି କହିଛନ୍ତି । ତେବେ ଏହି ଘଟଣାରେ ସେ ଥାନାରେ କୌଣସି ପ୍ରକାର ଅଭିଯୋଗ କରିବେ ନାହିଁ ବୋଲି କହିଛନ୍ତି ।
ଏ ସଂପର୍କରେ ବିଜେପି ପ୍ରାର୍ଥୀ ରଂଜିତ ବାରିକ କହିଛନ୍ତି, ବିଜେଡି ଦୀର୍ଘଦିନ ହେଲା ଏହି ଅଞ୍ଚଳରେ ଗୁଣ୍ଡାରାଜ ଚଳାଇଛି । ଲୋକେ ଭୟରେ ମୁହଁ ଖୋଲୁ ନାହାନ୍ତି । ବିଜେଡି ନେତାମାନେ ଭଲ ଭାବରେ ଜାଣି ସାରିଲେଣି ଯେ ତାଙ୍କ ପରାଜୟ ସୁନିଶ୍ଚିତ । ତେଣୁ ସେମାନେ ଏପରି କରୁଛନ୍ତି ବୋଲି ଶ୍ରୀ ବାରିକ ଅଭିଯୋଗ କରିଛନ୍ତି । ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ରାମ କହିଛନ୍ତି ଯେ, ବିଜେଡି ନେତାମାନେ ଗାଁରେ ବୁଲିବୁଲି ଭୋଟ୍ ପାଇଁ ଟଙ୍କା ବାଣ୍ଟୁଛନ୍ତି । ଏହାସତ୍ତ୍ବେ ରାସ୍ତାରୋକ କରିବାର କ’ଣ ଆବଶ୍ୟକ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ହାରିବା ଭୟ ଘାରିଲାଣି। ତେଣୁ ସେମାନେ କ’ଣ କରୁଛନ୍ତି କିଛି ବୁଝିପାରୁ ନାହାନ୍ତି ବୋଲି ଶ୍ରୀ ରାମ କହିଛନ୍ତି ।
