ରାୟଗଡ଼ା : ପୁଲିସ୍-ଯବାନଙ୍କ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜୋରଦାର ପରେ ମାଓମୁକ୍ତ ହେବାରେ ଲାଗିଛି ରାୟଗଡ଼ା । ଅସଲି ମାଓବାଦୀଙ୍କ ଉପସ୍ଥିତି ଜିଲ୍ଲାରେ ପ୍ରଭାବହୀନ ହେବାପରେ ବଢ଼ିଛି ନକଲିଙ୍କ ଦୌରାତ୍ମ୍ୟ । ମାଓ ସଂଗଠନ ନାଁରେ ଠିକା ଓ ବେସରକାରୀ ସଂସ୍ଥାକୁ ଫୋନ୍ ମାଧ୍ୟମରେ ଧମକ ଦେଇ ମିଥ୍ୟା ପୋଷ୍ଟର ଲଗାଇ ଠକ ଗ୍ୟାଙ୍ଗ୍ ଲୁଟିବାରେ ଲାଗିଥିଲେ ଲକ୍ଷାଧିକ ଟଙ୍କା । ଯାହାର ସୁରାକ୍ ରାୟଗଡ଼ା ପୁଲିସ୍ ପାଇ ୫ ନକଲି ମାଓବାଦୀଙ୍କୁ ଗିରଫ କରିଛି । ଗିରଫ ନକଲି ମାଓବାଦୀ ସଂଗଠନ ନାଁରେ ରାୟଗଡ଼ା ସମେତ ପଡୋଶୀ କଳାହାଣ୍ଡି ଜିଲ୍ଲାରେ ଟଙ୍କା ଆଦାୟ କରୁଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଗିରଫ ନକଲି ମାଓବାଦୀଙ୍କ ମଧ୍ୟରେ କାଶୀପୁର ଥାନା କଞ୍ଜଙ୍ଗମାଣ୍ଡି ଗାଁର ବଳି ମାଝି, ଟିକିରି ଥାନା ରାମ୍ପୁଡୁ ଗାଁର ସୀମାଞ୍ଚଳ ମାଝି, ଦୁଡୁକାବାହାଲର ସନ୍ତୋଷ ରାୟ, ଟିକିରି ହରିଜନ ସାହିର ଜୟନ୍ତ ନାଏକ, ଶେଷଖାଲ ଥାନା ହାଣ୍ଡିପାଡ଼ୁ ଗାଁର ଗୋପାଳ ସାହୁ ରହିଛନ୍ତି । ଏହି ଠକ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୀମାଞ୍ଚଳ ମାଝି ହୋଇଥିବା ବେଳେ, ଧମକ ଚମକ ପରେ କେଉଁ ସଂସ୍ଥା, ଠିକାଦାର ଏବଂ ବ୍ୟକ୍ତି ବିଶେଷଙ୍କଠୁ କେତେ ଟଙ୍କା ଅଣାଯିବ ତାହା ବଳି ମାଝି ନିଷ୍ପତ୍ତି ନେଉଥିଲା । ବଳିର ନିର୍ଦ୍ଦେଶରେ ହିଁ ଜଣେ ପରେ ଜଣଙ୍କୁ ଟାର୍ଗେଟ୍ କରୁଥିଲା ଠକ ଗ୍ୟାଙ୍ଗ୍ । କଲ୍ୟାଣସିଂହପୁର ଘଟଣା ପୂର୍ବରୁ ଏହି ଗ୍ୟାଙ୍ଗ୍ ରାୟଗଡ଼ା ଜିଲ୍ଲାର ଚାନ୍ଦିଲି, ଶେଷଖାଲ, କାଶୀପୁର, ଟିକିରି ଏବଂ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ଇଲାକାରୁ ମଧ୍ୟ ମାଓ ସଂଗଠନ ନାଁରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଆଦାୟ କରିଛନ୍ତି । ଯାହାକୁ ନେଇ ୫ ରୁ ଊର୍ଦ୍ଧ୍ବ ଥାନାରେ ଠକ ଗ୍ୟାଙ୍ଗର ସଦସ୍ୟଙ୍କ ନାଁରେ ମାମଲା ରହିଛି । ସତର୍କତାର ସହ ମାଓ ଇଲାକାରେ ହିଁ ଏହି ଗ୍ୟାଙ୍ଗ ସଦସ୍ୟ ସକ୍ରିୟ ରହିଥିବାରୁ ଚାନ୍ଦା ଆଦାୟ ଓ ଡକାୟତି ଗ୍ୟାଙ୍ଗ ସଦସ୍ୟଙ୍କ ପାଇଁ ସହଜ ହେଉଥିଲା ।
୨୦୨୨ ଜାନୁଆରି ୨୨ ତାରିଖରେ ଗ୍ୟାଙ୍ଗର ସଦସ୍ୟ କଲ୍ୟାଣସିଂହପୁରରେ ଥିବା ଏସ୍ଭିଏସ୍ ମୋକାମ୍ବିକା ଠିକା ସଂସ୍ଥାକୁ ଟାର୍ଗେଟ୍ କରିଥିଲେ । ରାତି ୧୨ଟାରେ ଗ୍ୟାଙ୍ଗ ସଦସ୍ୟ ଠିକା ସଂସ୍ଥା ଭିତରେ ପଶି ମାଓ ବ୍ୟାନର ଲଗାଇବା ସହ ଗୋଟିଏ ଟ୍ରକକୁ ପୋଡ଼ି ଦେଇଥିଲେ । ଏଥିସହିତ କଲ୍ୟାଣସିଂହପୁର ତହସିଲ ଅଫିସ୍ ଏବଂ ଶିକରପାଇ ଅଞ୍ଚଳରେ ମାଓବାଦୀଙ୍କ ନାଁରେ ବ୍ୟାନର ଲଗାଇ ଭୟର ବାତାବରଣ ସୃଷ୍ଟି କରିଥିଲେ । ଠିକା କ୍ୟାମ୍ପରେ ଅଘଟଣ ଘଟାଇବା ପରେ ସଂସ୍ଥାର ମାଲିକଙ୍କୁ ୨୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ । ମାଓବାଦୀଙ୍କ ନାଁରେ ଫୋନ୍ ପାଇବା ପରେ ଠିକା ସଂସ୍ଥା ମାଲିକ ଭୟଭୀତ ହୋଇ ପୁଲିସର ଦ୍ବାରସ୍ଥ ହୋଇଥିଲେ । ପୁଲିସ୍ ପରାମର୍ଶରେ ଠିକା ସଂସ୍ଥା ମାଲିକ ଟଙ୍କା ଦେବାରେ ବିଳମ୍ବ କରିଥିଲେ । ଟଙ୍କା ପାଇଁ ବାରମ୍ବାର ଠକ ଗ୍ୟାଙ୍ଗ ସଦସ୍ୟ ଫୋନ୍ କରିବା ପରେ ଠିକା ସଂସ୍ଥା ମାଲିକ ଟଙ୍କା ନଥିବା ବାହାନା କରିବା ପରେ ୨୦ ବଦଳରେ ୧୨ ଲକ୍ଷ ଦେବାକୁ କହିଥିଲେ ନକଲି ମାଓ ଗ୍ୟାଙ୍ଗ୍ । ଏହାପରେ କଲ୍ୟାଣସିଂହପୁର ପୁଲିସ୍ ନକଲି ମାଓବାଦୀଙ୍କୁ ଧରିବା ପାଇଁ ଆରମ୍ଭ କରିଥିଲା ଅପରେସନ୍ । ରାୟଗଡ଼ା ଏସ୍ଡିପିଓ ଦିବ୍ୟଜ୍ୟୋତି ଦାଶ, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଂସଦାଙ୍କ ନେତୃତ୍ବରେ ଗଠିତ ପୁଲିସ୍ ଟିମ୍ ଗ୍ୟାଙ୍ଗ୍ ସଦସ୍ୟଙ୍କ ମୋବାଇଲ୍ ଟ୍ରାକିଂ କରି ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ୫ ନକଲି ମାଓବାଦୀ ଗିରଫ ହେବା ପରେ ଏପରି ଠକ ଗ୍ୟାଙ୍ଗ ପ୍ରତି ଜନସାଧାରଣ ସତର୍କ ରହିବାକୁ ଏସ୍ପି ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି । ଯଦି ମାଓ ସଂଗଠନ ନାଁରେ ଟଙ୍କା ମାଗନ୍ତି ତା’ହେଲେ ପୁଲିସକୁ ଜଣାଇବାକୁ ଏସ୍ପି ଶ୍ରୀ ଶର୍ମା ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ରାୟଗଡ଼ାରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ୍ ସକ୍ରିୟ ରହିଥିଲା । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମାଓ ଦମନ ପାଇଁ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ହେବା ସହ ଏସ୍ଓଜି, ଡିଭିଏଫ୍ ଯବାନଙ୍କ ଘନ ଘନ କମ୍ବିଂ ଅପରେସନ୍ ଯୋଗୁ ରାୟଗଡ଼ାରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ୨୦୧୯ ମସିହା ପରଠୁ କାଁ ଭାଁ କିଛି ଘଟଣାକୁ ଛାଡ଼ିଲେ ମାଓ ସଂଗଠନ ରାୟଗଡ଼ାରେ ଦୁର୍ବଳ ହେବାରେ ଲାଗିଛି ।
