ବ୍ରାହ୍ମପୁର ଆଇହରର କୃତିତ୍ୱ, ଉଦ୍ଭାବନ କଲେ ନୂଆ କରୋନା ଟିକା ‘ଏଭିସ୍‌କୋଭାକ୍‌’

ବ୍ରହ୍ମପୁର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁର ଆଇଜର୍‌ ଓ ପଶ୍ଚିମବଙ୍ଗ ଆସାନ୍‌ସୋଲ୍‌ ସ୍ଥିତ କାଜି ନାର୍ଜୁଲ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତିଭାବେ ପ୍ରାୟ ୨ ବର୍ଷ ଗବେଷଣା କରି ଏକ ଟିକା ଉଦ୍ଭାବନ କରିବାରେ ସକ୍ଷମ ହୋଇଛନ୍ତି । ଏହାର ନାମ ‘ଏଭିସ୍‌କୋଭାକ୍‌’ ରଖାଯାଇଛି । ଆଗାମୀ ଦିନରେ କରୋନାର ସମସ୍ତ ନୂଆ ପ୍ରଜାତି (ଭ୍ୟାରିୟାଣ୍ଟ) ସହ ଲଢ଼ିବା ସହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ଏହାକୁ ଉଦ୍ଭାବନ କରିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ।

ବ୍ରହ୍ମପୁର ଆଇଜର୍‌ କେମିକାଲ୍‌ ସାଇନ୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର୍‌ ଡ.ମଳୟ କୁମାର ରାଣାଙ୍କ ସହ ଏହି ବିଭାଗର ଦୁଇ ପିଏଚ୍‌ଡି ଛାତ୍ର ଡ.ପାର୍ଥସାରଥି ସେନଗୁପ୍ତ, ସରୋଜ କୁମାର ପଣ୍ଡା ଓ କାଜି ନାର୍ଜୁଲ୍‌ ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ଅଭିଜ୍ଞାନ ଚୌଧୁରୀ, ସୁପ୍ରଭାତ ମୁଖାର୍ଜିଙ୍କ ମିଳିତ ଉଦ୍ୟମ ଏବଂ ଗବେଷଣାରେ ଏହି ଟିକା ଉଦ୍ଭାବନ ହୋଇଛି । କମ୍ପ୍ୟୁଟର୍‌ ସିମୁଲେସନ୍ ପ୍ରଣାଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି । ଗତବର୍ଷ ଜୁଲାଇ ୩୦‌ରେ ଏହାକୁ ଅର୍ନ୍ତଜାତୀୟ ପତ୍ରିକା ‘ଜର୍ନାଲ୍ ଅଫ ମଲେକ୍ୟୁଲାର୍‌ ଲିକୁଇଡ୍‌’ରେ ‌ସ୍ଥାନିତ କରିବା ପାଇଁ ଆବେଦନ କରାଯାଇଥିଲା । ଆବଶ୍ୟକ ଯାଞ୍ଚ ପରେ ଗତ ଜାନୁଆରି ୩୧ରେ ଏ ସମ୍ପର୍କିତ ସନ୍ଦର୍ଭ ଉକ୍ତ ପତ୍ରିକାରେ ପ୍ରକାଶ ପାଇଛି । ଆଗାମୀ ଦିନରେ ଏହାର ପେଟେଣ୍ଟ୍ କରାଯିବ । ଆବଶ୍ୟକ ଟ୍ରାଏଲ୍ (ପରୀକ୍ଷା) ପାଇଁ ଆଇସିଏମ୍‌ଆରକୁ ଆବେଦନ କରାଯିବ । ଆର୍ଥିକ ସହାୟତା ମିଳିଲେ ଏହି ଟିକା ପ୍ରସ୍ତୁତ କରାଯାଇ ଟ୍ରାଏଲ୍‌ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ ଆଇଜର୍‌ ପିଏଚ୍‌ଡି ଛାତ୍ର ସରୋଜ ପଣ୍ଡା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *