ରାଉରକେଲା : ଆସନ୍ତ ୧୬ ତାରିଖରେ ହେବାକୁ ଯାଉଛି ବଣାଇରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ତା’ ପୂର୍ବରୁ ନିର୍ବାଚନୀ ହିଂସାର ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସମିତିସଭ୍ୟା ପାର୍ଥୀ ପୁଷ୍ପିତା ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆଜି ସକାଳେ ତାଙ୍କୁ ନିଜ ଗ୍ରାମ ଘୁଷୁରାର ଘର ନିକଟରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ତାଙ୍କୁ ପଡ଼ୋଶୀମାନେ ଉଦ୍ଧାର କରି ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ସେ ସିପିଆଇଏମ ତରଫରୁ ଠିଆ ହୋଇଥିଲେ । ଏଥିପାଇଁ ତାଙ୍କୁ ଧମକ ଦିଆଯାଉଥିଲା । ଏଣେ ପୁଷ୍ପିତା କହିଛନ୍ତି ତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଧମକ ଦିଆଯାଉଥିଲା । ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବାରୁ ଏକ ନିର୍ଦିଷ୍ଟ ଗୋଷ୍ଠୀ ଏଭଳି ଆକ୍ରମଣ କରିଛନ୍ତି l ପୁଷ୍ପିତା ରାଜନୈତିକ ଦଳର ନାମ ନେବାକୁ ମନା କରି ଦେଇଛନ୍ତି ।
