ଗଞ୍ଜାମ : ଗଞ୍ଜାମ ବ୍ଲକ୍ ସୁବଳୟା ପଞ୍ଚାୟତର ସମତିସଭ୍ୟା ମମି ଦାସ ଓ ତାଙ୍କ ସ୍ବାମୀଙ୍କୁ ଗତ ୨ ଦିନ ହେଲା ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି । ମମିଙ୍କ ମାଆ ଇନ୍ଦୁ ଦାସ(୭୦) ଏନେଇ ରମ୍ଭା ଥାନାରେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷଙ୍କ ନାଁରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ପୁଲିସ କେସ୍ ନମ୍ବର ୫୮/୨୨ ରେ ଏକ ଅପହରଣ ମାମଲା ରୁଜୁ କରିଛି ।
ସୂଚନା ଅନୁସାରେ, ସୁବଳୟା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପଦବି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିଲା । ପରେ ପଞ୍ଚାୟତରେ ସର୍ବଦଳୀୟ ବୈଠକ ବସି ବାଦପଲ୍ଲୀ ଗ୍ରାମର ସୀମା ଦାସଙ୍କ ପତ୍ନୀ ମମିଙ୍କୁ ସମିତିସଭ୍ୟା ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । ପରେ ଆଉ କେହି ପ୍ରାର୍ଥିପତ୍ର ଦାଖଲ ନ କରିବାରୁ ନିର୍ବାଚନ ଅଧିକାରୀ ମମିଙ୍କୁ ନିର୍ଦ୍ୱନ୍ଦ୍ବ ଘୋଷଣା କରିଥିଲେ। ପରେ ସମିତିସଭ୍ୟାଙ୍କୁ ହାତେଇବା ପାଇଁ ଉଭୟ ଶାସକ ବିଜେଡି ଓ ବିଜେପି ମଧ୍ୟରେ କସରତ ଆରମ୍ଭ ହୋଇ ଯାଇଥିଲା । ତେବେ ଗତ ଦୁଇ ଦିନ ହେଲା ମମି ଓ ତାଙ୍କ ସ୍ୱାମୀ ଘରେ ନଥିବା ଜଣାପଡ଼ିଥିଲା । ସେ କେଉଁଆଡ଼େ ଯାଇଛନ୍ତି ସେ ନେଇ ପରିବାର ଲୋକଙ୍କୁ ମଧ୍ୟ ଜଣାଇ ନଥିଲେ । ଏହାକୁ ସନ୍ଦେହ କରି ବିଜେଡିର କିଛି ସମର୍ଥକ ପୁଲିସକୁ ଖବର ଦେଇଥିଲେ । ପରେ ଆଜି ମମିଙ୍କ ମାଆ ଇନ୍ଦୁ ରମ୍ଭା ଥାନାରେ ବ୍ଲକ୍ ଅଧ୍ୟକ୍ଷଙ୍କ ନାମରେ ଏତଲା ଦାଖଲ କରିଥିଲେ ।
ଅନ୍ୟପକ୍ଷରେ ଘଟଣା ସଂପର୍କରେ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ ଏବଂ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଯୋଡ଼ା ଯାଉଥିବା କହିଥିଲେ । ଅନ୍ୟପଟେ ରମ୍ଭା ଥାନାଧିକାରୀ ଦିପ୍ତୀ ରଂଜନ ବେହେରାଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରାଯାଇ ଖୋର୍ଦ୍ଧା, ଭୁବନେଶ୍ୱର ଓ ଗଞ୍ଜାମ ଆଦି ସ୍ଥାନରେ ଚଢାଉ ଜାରି ରହିଛି ।
