ପ୍ରଶାସନ ଶୁଣିଲାନି, ଘରଘର ବୁଲି ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ପିଲା

ବଡ଼ବିଲ : ଗାଁ ରାସ୍ତା ଶୋଚନୀୟ ହୋଇଥିବାରୁ ପିଲାଙ୍କୁ ସ୍କୁଲ୍‌ ଯିବାରେ ସମସ୍ୟା ହେଉଛି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଛି । ଏନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗାଁ ପିଲା ଘରଘର ବୁଲି ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବଲାଣି ପଞ୍ଚାୟତ ଡୁମୁର୍ତ୍ତା ଗ୍ରାମର ତଳସାହିରେ ।

ଡୁମୁର୍ତ୍ତା ତଳସାହିର ଜନସଂଖ୍ୟା ୩ ଶହରୁ ଅଧିକ ହୋଇଥିବା ବେଳେ, ଆଜି ପର୍ଯ୍ୟନ୍ତ ସାହିକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରି ନାହିଁ । ନିର୍ବାଚନ ବେଳେ ନେତାମାନେ ଗାଁକୁ ଆସି ଭୋଟ୍‌ ମାଗନ୍ତି । ଜିତିଲେ ସମସ୍ୟା ଦୂର ହୋଇଯିବ ବୋଲି ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ନିର୍ବାଚନ ପରେ ସେମାନଙ୍କର ଆଉ ଦେଖା ମିଳେନାହିଁ । ଗାଁକୁ ଭଲ ରାସ୍ତା ନଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି । ରୋଗୀଙ୍କୁ ଡାକ୍ତରଖାନା ନେବାପାଇଁ ଗାଁକୁ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଛି । ସେହିପରି ତଳସାହିରୁ ଡୁମୁର୍ତ୍ତା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ିର ଦୂରତା ୨ କିମି । ପିଲାମ‌ାନେ ବିପଦସଙ୍କୁଳ ରାସ୍ତାରେ ଯାତାୟାତ କରୁଛନ୍ତି ।

ରାସ୍ତା ନିର୍ମାଣ ପାଇଁ ଲୋକେ ପ୍ରଶାସନକୁ ଜଣାଇଥିଲେ । ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ଓ ପିଲାମାନେ ମିଶି ରାସ୍ତା ମରାମତି କରିବାକୁ ଅଣ୍ଟା ଭିଡ଼ିଥିଲେ । ଏଥିପାଇଁ ସାହିର ପ୍ରତି ଘରୁ ଚାନ୍ଦା ଆଦାୟ କରାଯାଇଥିଲା । ଉକ୍ତ ଟଙ୍କାରେ ମୋରମ କିଣାଯାଇଥିଲା । ପିଲାମାନେ ମୋରମ ବୋହି ରାସ୍ତାରେ ପକାଇଥିଲେ । ବଡ଼ ଲୋକମାନେ ରାସ୍ତା‌କୁ ସମତୁଲ କରିଥିଲେ । ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଗାଁକୁ ବିଜୁଳି ଆଲୁଅ ସାଙ୍ଗକୁ ପିଇବା ପାଣିର ବ୍ୟବସ୍ଥା ହୋଇଥିବା ବେଳେ ରାସ୍ତା ନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏକ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *