ପାଳଲହଡ଼ା : ପାଳଲହଡ଼ା ବ୍ଲକ୍ ପେଚାମୁଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ଗାଁ ଶିବପାଣି । ବ୍ଲକ୍ର ଉପାନ୍ତ ଅଞ୍ଚଳରେ କେନ୍ଦୁଝର ଜିଲ୍ଲାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏହି ଗାଁରେ ବାସକରୁଛନ୍ତି ପ୍ରାୟ ୩୦ ଆଦିବାସୀ ପରିବାର । ଏ ପର୍ଯ୍ୟନ୍ତ ଗାଁର ରାସ୍ତା, ପାନୀୟଜଳ, ବିଦ୍ୟୁତ୍ ଭଳି ମୌଳିକ ଆବଶ୍ୟକତା ପୂରଣ ହୋଇନାହିଁ । ଆଦିବାସୀଙ୍କ ଉନ୍ନତି ପାଇଁ ‘ପିବିଡିଏ’ ସଂସ୍ଥା କାର୍ଯ୍ୟ କରୁଥିଲେ ସୁଦ୍ଧା ଶିବପାଣି ଗାଁ ବହୁ ଅବହେଳିତ ହୋଇପଡ଼ିଛି । ଗ୍ରାମବାସୀମାନେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କୁପୁରୁବେଡ଼ା ଗାଁ ଜମିଭିତରେ ଥିବା ଏକ ଚୁଆରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ଏହି ଜଳ ବିଶୁଦ୍ଧ ହୋଇନଥିଲେ ବି ଗ୍ରାମବାସୀ ତାହା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।
ଗାଁର ଏହି ଦୁରବସ୍ଥା ସଂପର୍କରେ ଗତ ମେ ମାସରେ ଖବର ପ୍ରକାଶ ପାଇଥିଲା । ଏହାପରେ ଜଳ ପରିମଳ ବିଭାଗ ପକ୍ଷରୁ ନଳକୂଅ ପାଇଁ ଗାଁରେ ବୋରିଂ ଖୋଳାହୋଇଛି । ଏହା ମଧ୍ୟରେ ୩ ମାସ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ନଳକୂଅ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ଗାଁକୁ ବିଜୁଳି ଆଲୁଅ, ଫୋନ୍ ନେଟଓ୍ବର୍କ ସାତସପନ ପାଲଟିଛି । ତେଣୁ ପାଠ ପଢ଼ିବା ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି ବୋଲି ଗାଁର ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି । ନିର୍ବାଚନ ଆସିଲେ ନେତାମାନେ ଆସି ଗାଁରେ ଭୋଟ ମାଗୁଛନ୍ତି । ଗାଁର ମୌଳିକ ସମସ୍ୟା ଦୂରକରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । କିଛିଦିନ ପରେ ଦେଇଥିବା କଥା ଭୁଲିଯାଉଛନ୍ତି । ନିର୍ବାଚନ ପାଖେଇଆସିଥିବାରୁ ଏବେ ବିଭିନ୍ନ ଦଳର ନେତା ଗାଁକୁ ଆସୁଛନ୍ତି । ଗାଁର ମୌଳିକ ସମସ୍ୟା ଦୂର କରାଯାଉନଥିବାରୁ ଚଳିତ ଥର ସେମାନେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
