ଶାଳବଣ ପାଲଟିଛି ଠିକାସଂସ୍ଥାର ଡମ୍ପିଂୟାର୍ଡ, ଠିକାସଂସ୍ଥାର ପଥର ଗୁଣ୍ଡରେ ପୋତି ହୋଇଗଲାଣି ଶହଶହ ଶାଳଗଛ

ଚମକପୁର : ଶାଳବଣ ପାଲଟିଛି ଠିକାସଂସ୍ଥାର ଡମ୍ପିଂୟାର୍ଡ । ଠିକାସଂସ୍ଥାର ପଥର ଗୁଣ୍ଡରେ ପୋତି ହୋଇଗଲାଣି ଶହଶହ ଶାଳଗଛ । କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା ସେକ୍ସନର କଣ୍ତରା ସୁନାନଦୀ କୂଳରେ ଥିବା ଶାଳବଣକୁ ଠିକାସଂସ୍ଥା ମାଟି ଓ ପଥର ପକା‌ଇ ପୋତି ଦେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୀର୍ଘଦିନ ହେବ ଠିକାସଂସ୍ଥା ଏଭଳି ବେଆଇନ କା‌ମ କରୁଥିବା ବେଳେ ବନ ବିଭାଗ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛି ।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଯୋଡ଼ା ବ୍ଲକ୍‌ ବାସୁଦେବପୁର ଠାରେ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି । ପ୍ରକଳ୍ପର ସ୍ପିଲଓ୍ବେ ନିର୍ମାଣ କରୁଛି ଏସ୍‌ଏନ୍‌ ରାଜୁ ନାମକ ଏକ ଠିକାସଂସ୍ଥା । ଏଠାରେ ପ୍ରାୟ ଦୁଇବର୍ଷ ହେବ କାମ ଚାଲିଛି । ସ୍ପିଲ୍‌ୱେ ପାଇଁ କଣ୍ତରା ଶାଳ ଜଙ୍ଗଲକୁ ଲାଗି ରହିଥିବା ଏକ ପଥର କ୍ବାରିରୁ ପଥର ନିଆଯାଇ ବ୍ୟବହାର କରାଯାଉଛି । ପଥର ବାହାର କରିବା ପାଇଁ ବିସ୍ଫୋରଣ କରାଯିବାପରେ ଦୈନିକ ବାହାରୁଥିବା ଅଦରକାରୀ ମାଟି ଓ ପଥର ଗୁଣ୍ତକୁ ହାଇୱା ଯୋଗେ ବୋହି ନେଇ ନିକଟରେ ଥିବା ଶାଳ ଜଙ୍ଗଲରେ ପକାଇ ଦିଆଯାଉଛି । ଫଳରେ ଜଙ୍ଗଲରେ ଥିବା ଛୋଟବଡ଼ ଶାଳଗଛଗୁଡ଼ିକ ଏବେ ପୋତି ହୋଇଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଏଭଳି ବେଆଇନ ଡମ୍ପିଂ କରାଯାଉଥିଲେ ମଧ୍ୟ ବନ ବିଭାଗ ଚୁପ୍‌ ବସିଛି । ଏହ‌ାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଅନ୍ୟପକ୍ଷରେ, ବନୀକରଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଠିକାସଂସ୍ଥା ମାଟି, ପଥର ଗୁଣ୍ଡ ପକାଇ ଶାଳଗଛଗୁଡ଼ିକୁ ପୋତିଦେବା ସତ୍ତ୍ବେ ବନବିଭାଗ ନିରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ବିସ୍ମିତ କରୁଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଡ଼ା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଗିରିଧାରୀ ନାଏକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *