ବାଲେଶ୍ୱର : ଅନାଥ କିମ୍ବା ବାପା, ମା’ ଛେଉଣ୍ଡ ପିଲାଙ୍କ ପାଇଁ ସରକାର ଗ୍ରିନ୍ ପ୍ୟାସେଜ୍ ଯୋଜନା କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ଯୋଜନା ଅନାଥ ପିଲାଙ୍କ ପାଇଁ ବରଦାନ ସଦୃଶ । ଏଥିରେ ଅନାଥ ପିଲା ମାଗଣାରେ ଶିକ୍ଷାଲାଭ କରିପାରିବେ । ସରକାରଙ୍କର ଏହା ଏକ ଫଳପ୍ରସୂ ଯୋଜନା ହୋଇଥିଲେ ମଧ୍ୟ ବାଲେଶ୍ବର ଜିଲ୍ଲାରେ ସଂପୂର୍ଣ୍ଣ ଫେଲ୍ ମାରିଛି । ୫ ବର୍ଷ ହେଲା ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବାବେଳେ ଜଣେ ବି ପିଲା ଏଥିରେ ସାମିଲ ହୋଇ ପାରିନାହାନ୍ତି । ୨୦୧୬ ମସିହାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗ୍ରିନ୍ ପ୍ୟାସେଜ୍ ଯୋଜନା କାର୍ଯ୍ୟକାରୀ ହୋଇଛି । ୧୮ ବର୍ଷରୁ ଊର୍ଦ୍ଧ୍ବ ପିଲା ଉଚ୍ଚଶିକ୍ଷା ପାଇଁ ଏହି ଯୋଜନାରେ ଉପକୃତ ହୋଇପାରିବେ । ଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ତହସିଲଦାରଙ୍କ ଠାରୁ ଅନାଥ ପ୍ରମାଣପତ୍ର ନେଇ ଆବେଦନ କରିପାରିବେ । ଏମିତିକି କେହି ଅନାଥ ପିଲା ବାଳାଶ୍ରମ କିମ୍ବା ସମ୍ପର୍କୀୟଙ୍କ ଘରେ ରହୁଥିଲେ ବି ଏହି ଯୋଜନାରେ ଉପକୃତ ହୋଇପାରିବେ । ଆଉ ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢିବା ସହିତ ମାଗଣାରେ ହଷ୍ଟେଲରେ ରହିପାରିବେ । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ଗୁଡ଼ିକୁ ମଧ୍ୟ ଅବଗତ କରାଯାଇଥିଲା । ମାତ୍ର ଏହି ଯୋଜନା କାଗଜକଲମରେ ରହିଯାଇଛି । ଜନସାଧାରଣଙ୍କୁ ଏ ଦିଗରେ ନା ସଚେତନ କରାଗଲା ନା ଏହାର ପ୍ରଚାରପ୍ରସାର ହେଲା । ଯାହାଫଳରେ ଏମିତି ଏକ ଯୋଜନା ଅଛି ବୋଲି ଅନେକ ଜାଣିନାହାନ୍ତି । ଯାହାର ଫଳସ୍ବରୂପ ଜିଲ୍ଲାର ଜଣେ ବି ପିଲା ଏଥିରୁ ଲାଭବାନ୍ ହୋଇନାହାନ୍ତି ।
ଜିଲ୍ଲାରେ ୧୦ଟି ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରହିଛି । ବାଲେଶ୍ବର ସହରରେ ଉତ୍କଳ ବାଳାଶ୍ରମ, କୁରୁଡ଼ା ବାଳାଶ୍ରମ ସହିତ ସୋର, ଖଇରା, ଔପଦା, ନୀଳଗିରି, ବସ୍ତା, ଜଳେଶ୍ବର ଆଦି ବ୍ଲକରେ ଶିଶୁ ପ୍ରଯତ୍ନ କେନ୍ଦ୍ର ରହିଛି । ଏହି ସବୁ କେନ୍ଦ୍ରଗୁଡ଼ିକରେ ୮ ଶହରୁ ଅଧିକ ପିଲା ରହିଛନ୍ତି । ପ୍ରତିବର୍ଷ ଏହି କେନ୍ଦ୍ରରୁ ଶତାଧିକ କିଶୋର ବାହାରୁଛନ୍ତି । କେନ୍ଦ୍ରରୁ ବାହାରିବା ପରେ ଏମାନେ କିଭଳି ଉଚ୍ଚଶିକ୍ଷା ପାଇବେ, ସେଥିପ୍ରତି ବିଭାଗ ଗୁରୁତ୍ବ ଦେବା କଥା । କିନ୍ତୁ ଦେଖାଯାଇଛି, ଏମାନେ ସଚେତନତା ଓ ଅର୍ଥ ଅଭାବରୁ ପାଠ ନ ପଢ଼ି ଘରେ ବସୁଛନ୍ତି । ଏମିତିକି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଯଦି ଯୋଜନା ସଂପର୍କରେ ଅବଗତ କରାଯାଉଥାନ୍ତା, ତା’ହେଲେ ଆବେଦନ ସଂଖ୍ୟା ନିଶ୍ଚୟ ବଢ଼ନ୍ତା । ଜିଲ୍ଲାରେ ଏମିତି ବହୁ ପିଲା ବାପା, ମା’ ଛେଉଣ୍ଡ ହୋଇ ନିଜ ସମ୍ପର୍କୀୟଙ୍କ ସହିତ ରହୁଛନ୍ତି । କିନ୍ତୁ ଜଣେ ବି ଏହି ଯୋଜନାରେ ଉପକୃତ ନ ହେବା ବିଭାଗୀୟ ଅବହେଳାର ଚରମ ନିଦର୍ଶନ ବୋଲି କୁହାଯାଉଛି ।
