ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାରାଗଡିଆ ଗ୍ରାମ ନିକଟରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ଦୋକାନ ଘର । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ବାରାଗଡିଆ ଛକ ନିକଟରେ ଥିବା ଏକ ଖୁଚୁରା ଗ୍ୟାସ୍ ଫିଲିଙ୍ଗ୍ ଦୋକାନରେ ଦୋକାନୀ ଗ୍ୟାସ୍ ଭରୁଥିବା ସମୟରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନୀ ଓ ଗ୍ରାହକ ଉଭୟେ ଏଥିରେ ଆହତ ହୋଇଥିଲେ । ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଆସି ଆହତ ଦ୍ବୟଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ୪ଟି ଗ୍ୟାସ୍ ସିଲିଣ୍ଡର୍ ଫାଟିଥିଲା । ଗ୍ୟାସ୍ ସିଲିଣ୍ଡର ଫାଟିବା ଫଳରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଅଗ୍ନିଶମ ବାହିନୀର ୪ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ ।
