କାମ ଦେଉନି କୁପୋଷଣ ନିୟନ୍ତ୍ରଣ ଯୋଜନା, ବୁଝେଇଲେ ବି ବୁଝୁନାହାନ୍ତି ଗାଁ ମହିଳା

ବାଲେଶ୍ବର : ଓଡ଼ିଶାରେ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ମାତ୍ରା ଅଧିକ । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ୨୦୧୯-୨୧ ର ରିପୋର୍ଟ ହିଁ ଏଭଳି ଅସଙ୍ଗତିକୁ ସୂଚାଉଛି । ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟରକ୍ଷା ଦିଗରେ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ଓଲଟା । ଏହି କ୍ରମରେ ବାଲେଶ୍ବର ଜିଲ୍ଲାର ସ୍ଥିତି ମଧ୍ୟ ଚିନ୍ତା ଜନକ । ସୂଚନା ମୁତାବକ ୬ ରୁ ୫୯ ମାସର ଶିଶୁ, ୧୫ ରୁ ୪୯ ବର୍ଷ ବର୍ଗରେ ଥିବା ଗର୍ଭବତୀ ଓ ଅଣଗର୍ଭବତୀ ମହିଳା, ୧୫ ରୁ ୧୯ ବର୍ଷ ବର୍ଗ ମଧ୍ୟରେ ଥିବା କିଶୋରୀ ବାଳିକାଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଶିଶୁ ଓ ମାତୃ ମୃତ୍ୟୁହାର ବୃଦ୍ଧି ପଛରେ ଏହା ଏକ ବଡ଼ କାରଣ । କେବଳ ସେତିକି ନୁହେଁ, ସୁସ୍ଥ ଶିଶୁ ଓ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଏହା ପ୍ରଭାବ ପକାଉଛି । ଥାଲାସେମିଆ ରୋଗୀଙ୍କ ସଂଖ୍ୟାବୃଦ୍ଧି ରକ୍ତହୀନତା ବୃଦ୍ଧି ପାଇବାର ଅନ୍ୟ ଏକ କାରଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ । ତେବେ ଦାରିଦ୍ର୍ୟ, ପୋଷଣଯୁକ୍ତ ଖାଦ୍ୟର ଅଭାବ, ଚଟ୍‌ପଟି ଖାଦ୍ୟ (ଫାଷ୍ଟଫୁଡ୍‌)ର ବହୁଳ ବ୍ୟବହାର ଏବଂ ସର୍ବୋପରି ସଚେତନତା ଅଭାବରୁ ଏ ପ୍ରକାର ସ୍ଥିତି ଉପୁଜିଥିବା ରିପୋର୍ଟରେ କୁହାଯାଇଛି ।

ପ୍ରତି ପାଞ୍ଚ ବର୍ଷରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ପ୍ରକାଶ ପାଇଥାଏ । ୨୦୧୫-୧୬ ରେ ପ୍ରକାଶିତ ରିପୋର୍ଟରେ ବାଲେଶ୍ବର ଜିଲ୍ଲାରେ ୬ ରୁ ୫୯ ମାସର ଶିଶୁଙ୍କ ମଧ୍ୟରେ ୨୮.୬ ପ୍ରତିଶତ ରକ୍ତହୀନତା ଚିହ୍ନଟ ହୋଇଥିବା ବେଳେ ୨୦୧୯-୨୧ ରେ ଏହା ବୃଦ୍ଧି ପାଇ ୪୩.୨ ପ୍ରତିଶତରେ ପହଞ୍ଚିଛି । ସେହିପରି ୧୫ ରୁ ୪୯ ବର୍ଷ ଅଣଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୪୦.୬ ପ୍ରତିଶତ, ୨୦୧୯-୨୧ ରିପୋର୍ଟରେ ୬୧.୫ ପ୍ରତିଶତ ରହିଛି । ୨୦୧୫-୧୬ ରେ ୧୫ ରୁ ୪୯ ବର୍ଷ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ୫୫.୬ ପ୍ରତିଶତ ରହିଥିବା ବେଳେ ଚଳିତ ରିପୋର୍ଟରେ କିନ୍ତୁ ଏହା ଦର୍ଶାଯାଇନାହିଁ । ସେହିପରି ୧୫ ରୁ ୧୯ ବର୍ଷର କିଶୋରୀ ବାଳିକାଙ୍କ କ୍ଷେତ୍ରରେ ରକ୍ତହୀନତା ୪୨.୯ ପ୍ରତିଶତ ରହିଥିବା ବେଳେ ଚଳିତ ରିପୋର୍ଟରେ ଏହା ୫୭.୩ ପ୍ରତିଶତ ଦର୍ଶାଯାଇଛି । ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସ୍ଥିତି ଆହୁରି ଖରାପ ରହିଛି ।

ଶିଶୁ ଓ ମହିଳାଙ୍କ ମଧ୍ୟରେ ରକ୍ତହୀନତାକୁ ନିୟନ୍ତ୍ରଣ କରିବା ପାଇଁ ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଜରିଆରେ ଆଇରନ୍‌ ବଟିକା, ପୁଷ୍ଟିକର ଖାଦ୍ୟଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । କୁପୋଷଣ ବିରୋଧରେ ସାମାଜିକ ସଂସ୍ଥାଗୁଡ଼ିକ ସଚେତନତା ସୃଷ୍ଟି କରିବା ସହ ଅହରହ କାମ ମଧ୍ୟ କରୁଛନ୍ତି । ତା’ ସତ୍ତ୍ବେ ବାଲେଶ୍ବର ଜିଲ୍ଲାରେ ଏଭଳି ସ୍ଥିତି କେମିତି ଉପୁଜିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କରୋନା ମହାମାରୀ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିଲା । ଘରକୁ ଯାଉଥିବା ପୋଷଣଯୁକ୍ତ ଖାଦ୍ୟ ପରିବାର ସଦସ୍ୟଙ୍କ ମଧ୍ୟରେ ବିଭାଜିତ ହୋଇଥିଲା । ଲୋକେ ଏହି ସମୟରେ ବେରୋଜଗାର ହୋଇ ମାନସିକ ଚିନ୍ତାରେ ରହିଥିଲେ । ଏହା ମଧ୍ୟ ରକ୍ତହୀନତା ବୃଦ୍ଧି ପାଇବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ତେବେ କୁପୋଷଣକୁ ମହିଳାମାନେ ହାଲୁକା ଭାବେ ନେଉଛନ୍ତି । ଏମିତିକି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆଇରନ୍‌ ବଟିକାକୁ ବି ଖାଉନାହାନ୍ତି । ସେମାନଙ୍କ ପରିବାର ଏଥିପ୍ରତି ସଚେତନ ରହିଲେ ଏହି ସମସ୍ୟା କିଛି ଦୂର ହୋଇପାରନ୍ତା ବୋଲି ମହିଳା ଓ ପରିବାର କଲ୍ୟାଣ ପାଇଁ କାମ କରୁଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *