ଲେଫ୍ରିପଡ଼ା : ସଂପ୍ରତି ଅଞ୍ଚଳରେ ଦ୍ରୁତଜଙ୍ଗଲ କ୍ଷୟ ତଥା ଶିଳ୍ପାୟନ ସାଙ୍ଗକୁ ଅବାଧ ଜବରଦଖଲ ଦ୍ବାରା ଜଙ୍ଗଲ, ପତ୍ରାଜଙ୍ଗଲ, ଗ୍ରାମ୍ୟଜଙ୍ଗଲ ଆଦି ଜମିରେ ଜନବସତି ସ୍ଥାପନ ଆଦି ସମସ୍ୟା ଯୋଗୁ ଲେଫ୍ରିପଡ଼ା ଅଞ୍ଚଳରେ ଦିନକୁ ଦିନ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । କ୍ରମାଗତ ଜଙ୍ଗଲ କ୍ଷୟ ସହିତ ଗୋଚ୍ଛାକଟାରେ ମଧ୍ୟ ବ୍ୟାପକ ତ୍ରୁଟି ରହିଥିବା ଯୋଗୁ କେନ୍ଦୁଗଛ ହ୍ରାସ ପାଇବା ଦେଖିବାକୁ ମିଳିଛି । ଯାହାକି ରାଜ୍ୟ ସରକାରଙ୍କ ରାଜକୋଷକୁ ପ୍ରଭାବିତ କରିବା ସହିତ ଅଞ୍ଚଳର ହଜାର ହଜାର ଶ୍ରମିକଙ୍କ ଜୀବନ ଜୀବିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦୁପତ୍ରକୁ ପଶ୍ଚିମ ଓଡ଼ିଶାର ‘ସବୁଜ ସୁନା’ ଭାବେ ଅଭିହିତ କରାଯାଉଥିବା ବେଳେ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ଏ ଅଞ୍ଚଳର ଅଧିକାଂଶ ଶ୍ରମିକ ନିୟୋଜିତ ହୋଇଥାନ୍ତି । ଗୋଚ୍ଛାକଟା ଠାରୁ ଆରମ୍ଭ କରି ପତ୍ରତୋଳା ଏବଂ ପତ୍ରବନ୍ଧା କ୍ଷେତ୍ରରେ ୬ ମାସର ରୋଜଗାର କରିଥାନ୍ତି । ତେବେ କେନ୍ଦୁପତ୍ର ଡିଭିଜନର କର୍ମଚାରୀ କିମ୍ବା ରାଜ୍ୟସରକାର ଏ ଅଞ୍ଚଳର ବଣ, ପାହାଡ଼, ଜଙ୍ଗଲ, କ୍ଷେତବାଡ଼ି ପ୍ରଭୃତିରେ ଥିବା କେନ୍ଦୁଗଛଗୁଡ଼ିକର ଯତ୍ନ ଓ ସୁରକ୍ଷା ଦିଗରେ ଧ୍ୟାନ ଦେଉନଥିବାରୁ କ୍ରମଶଃ କେନ୍ଦୁଗଛ ଲୋପ ପାଇ ବସୁଛି । ଲୋକେ କେନ୍ଦୁଗଛଗୁଡ଼ିକୁ ଜାଳେଣି କାଠ ଭାବେ କାଟି ନେଉଥିବା ଦେଖିବାକୁ ମିଳୁଥିବା ବେଳେ କେନ୍ଦୁପତ୍ର ରେଞ୍ଜଗୁଡ଼ିକ ଦ୍ୱାରା ଗୋଛାକଟା ହେବା ସମୟରେ ଖାମଖିଆଲି ଭାବେ ଗୋଛାକଟାଳିମାନେ ଗଛମୂଳ କାଟୁଥିବାରୁ ବହୁସଂଖ୍ୟାରେ ଗଛ ମରିଯାଉଛି । ଏହାଛଡ଼ା କେନ୍ଦୁଗଛ ଥିବା ବହୁ ଅଞ୍ଚଳ କ୍ରମଶଃ ସଫା କରାଯାଇ ବସତି ସାଙ୍ଗକୁ ଅନେକ ଶିଳ୍ପାଞ୍ଚଳ ଗଢ଼ି ଉଠୁଥିବାରୁ କେନ୍ଦୁପତ୍ର ଉତ୍ପାଦନ ହ୍ରାସପାଇଛି । ଫଳରେ ବହୁ ସ୍ଥାନରେ କେନ୍ଦୁପତ୍ର ଫଡ଼ି ବନ୍ଦ ହୋଇଗଲାଣି ।

କେନ୍ଦୁପତ୍ରରୁ ରାଜ୍ୟ ସରକାର ଶହଶହ କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ପଞ୍ଚାୟତ ଓ ବ୍ଲକ୍ଗୁଡ଼ିକ ମଧ୍ୟ ମୋଟା ଅଂଶ ପାଇଥାନ୍ତି । ଯାହାକି ଗ୍ରାମାଞ୍ଚଳରେ ଉନ୍ନୟନ କ୍ଷେତ୍ରରେ ବିନିଯୋଗ ହୋଇଥାଏ । ଏହା ଛଡ଼ା ଏକ ବିଶାଳ ଶ୍ରମିକ ଗୋଷ୍ଠୀ କେନ୍ଦୁପତ୍ର ସଂଗ୍ରହ କ୍ଷେତ୍ରରେ କାର୍ଯ୍ୟକରି ଜୀବିକା ନିର୍ବାହ କରିଆସୁଥିବାରୁ କେନ୍ଦୁପତ୍ର ହ୍ରାସ ଯୋଗୁ ସେମାନଙ୍କ ଜୀବନ ଜୀବିକା ପ୍ରତି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । କେନ୍ଦୁପତ୍ର ଡିଭିଜନ ଓ ରାଜ୍ୟ ସରକାର କେନ୍ଦୁପତ୍ରରୁ ମୋଟା ରାଜସ୍ୱ ପାଉଥିଲେ ସୁଦ୍ଧା କେନ୍ଦୁଗଛର ସୁରକ୍ଷା କିମ୍ବା କେନ୍ଦୁଚାରା ରୋପଣ ଏବଂ ଜଙ୍ଗଲ ଅଞ୍ଚଳର ଉନ୍ନୟନ କ୍ଷେତ୍ରରେ ଧ୍ୟାନ ଦେଉନଥିବା ପରିତାପର ବିଷୟ । ଏଣୁ ଏ ଅଞ୍ଚଳରେ ବିକଳ୍ପ ଯୋଜନା ପ୍ରଚଳନ କରି ଏହି ପତ୍ରର ଉତ୍ପାଦନ ବୃଦ୍ଧି କରିବା ଦିଗରେ ରାଜ୍ୟ ସରକାର ଯତ୍ନବାନ ହେବା ବିଧେୟ ।
