ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଠାରେ ମଙ୍ଗଳବାର ଦିନ ଜମିଜମା ମାମଲା ନେଇ ଜଣେ ସେନା କର୍ମଚାରୀଙ୍କୁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସଂଘବଦ୍ଧ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ଆକ୍ରମଣରେ ଆହାତ ହୋଇଥିବା ସେନା କର୍ମଚାରୀ ଜଣଙ୍କ ଲାୟନସ ଅନିଲ କୁମାର ସାହୁ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୋଗ ଅନୁଯାୟୀ ସେନା କର୍ମଚାରୀ ଅନିଲଙ୍କ ପରିବାର କରାପଲ୍ଲୀରେ ରହୁଥିଲେ ବେଳେ ତାଙ୍କର ପୋଡଶୀ ଆପନ୍ନା ସାହୁଙ୍କ ପକ୍ଷରୁ ଅନିଲଙ୍କ ଜମିକୁ ବେଆଇନ ଭାବେ ମାଡିବସି ରହିଥିବା ନେଇ ଗତ ୧୦ ବର୍ଷ ହେଲା ବିବାଦ ଲାଗି ରହିଥିଲା । ଏହି ଘଟଣା ନେଇ ଅନେକ ଥର ପୁଲିସ, ରାଜସ୍ବ ବିଭାଗ ପକ୍ଷରୁ ସମାଧାନ ନିମନ୍ତେ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଆପନ୍ନାଙ୍କ ପକ୍ଷରୁ ଏହାକୁ ଗ୍ରହଣ କରାଯାଉନଥିବା ଅନିଲଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି କ୍ରମରେ ମଙ୍ଗଳବାର ଦିନ ପୂର୍ବରୁ ସ୍ଥିର କରାଯାଇଥିବା ଘଟଣା କ୍ରମରେ କନିଷି ତହସିଲ କାର୍ଯ୍ୟାଳୟର ସରଭେୟର ଦେବୀପ୍ରସାଦ ସାହୁ ଓ ଗୋପାଳପୁର ଥାନାର କର୍ମଚାରୀମାନେ ପହଞ୍ଚି ଜମିର ମାପଚୁପ କରିଥିଲେ । ଏଥିରେ ଆପନ୍ନାଙ୍କ ପକ୍ଷରୁ ଅନିଲଙ୍କ ଜମିକୁ ବେଆଇନ ଭାବେ ମାଡିବସିଥିବା ସୂଚନା ଦିଆଯାଇଥିଲା । ଏହାପରେ ପୁଲିସ ଓ ରାଜସ୍ବ ବିଭାଗର କର୍ମଚାରୀ ଘଟଣା ସ୍ଥଳରୁ ଯିବାପରେ ଅଚାନକ ଆପନ୍ନା ଓ ତାଙ୍କପୁଅ ଦାମୋଦର, ତାଙ୍କ ସ୍ତ୍ରୀ ଓ ବଡ଼ଝିଅ ପ୍ରମୁଖ ଅନିଲଙ୍କୁ ଗାଳିଗୁଲଜ କରିବା ସହ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏଥିରେ ଅନିଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ନେଇ ଅନିଲଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।
