ବିଦ୍ୟୁତ୍‌ ବିଭାଗର ଜୁଲମ ଓ ମନଇଚ୍ଛା ଜରିମାନା ଆଦାୟ କରିବା ଅଭିଯୋଗରେ ଟାଟା ପାୱାର କର୍ମଚାରୀଙ୍କୁ ୭ ଘଣ୍ଟା ଧରି ଅଟକ ରଖିଲେ ଉପଭୋକ୍ତା

ଦଶରଥପୁର : ବିଦ୍ୟୁତ୍‌ ବିଭାଗର ଜୁଲମ ଓ ମନଇଚ୍ଛା ଜରିମାନା ଆଦାୟ କରିବା ଅଭିଯୋଗରେ ଟାଟା ପାୱାର କର୍ମଚାରୀଙ୍କୁ ଉପଭୋକ୍ତାମାନେ ଘେରିବା ସହ ସେମାନେ ବ୍ୟବହାର କରୁଥିବା ୨ଟି ଗାଡ଼ିକୁ ଦୀର୍ଘ ୭ ଘଣ୍ଟା ଧରି ଅଟକ ରଖିଛନ୍ତି । ଜରିମାନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଉପଭୋକ୍ତା ଓ ଗ୍ରାମବାସୀ ରାସ୍ତା ଉପରେ ଧାରଣାରେ ବସିଥିଲେ । ଦଶରଥପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧୀନ ଗୋପାଳପୁର ପଞ୍ଚାୟତ ଗୋପାଳପୁର ଗ୍ରାମରେ ଆଜି ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ ଗ୍ରାମର ୩୫ ଜଣ ଉପଭୋକ୍ତା ବେଆଇନ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଅଭିଯୋଗ କରି ଟାଟା ପାୱାର କର୍ମଚାରୀମାନେ ୧୫ ଦିନ ତଳେ ସେମାନଙ୍କ ଘରେ ବଳପୂର୍ବକ ପ୍ରବେଶ କରିଥିଲେ । ଘର ଭିତର ଫଟୋ ଉଠାଇଥିଲେ । କିଛି ଗୃହକର୍ତ୍ତା ଏହାର ବିରୋଧ କରିବାରୁ ସଂପୃକ୍ତ କର୍ମଚାରୀମାନେ ପୁଲିସ୍ କେସ୍‌ରେ ଫସାଇ ଦେବାକୁ ଧମକ ଦେଇଥିଲେ । ଏଥିସହ ଏହି ୩୫ ଉପଭୋକ୍ତାଙ୍କ ଉପରେ ମନଇଚ୍ଛା ଜରିମାନା କରିଥିଲେ । ଏହା ପରେ ସଂପୃକ୍ତ ଉପଭୋକ୍ତାମାନେ ଦଶରଥପୁର ବିଦ୍ୟୁତ୍‌ ଉପଖଣ୍ଡ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ସମସ୍ୟାର ସମାଧାନ କରିବାକୁ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା । ପୁଣି ଦିନ ପ୍ରାୟ ୧୦ଟା ରେ ଟାଟା ପାୱାର କର୍ମଚାରୀ ୨ଟି ଚାରିଚକିଆ ଗାଡ଼ିରେ ଗୋପାଳପୁର ଗ୍ରାମକୁ ଯାଇ ତୁରନ୍ତ ଜରିମାନା ଅର୍ଥ ପୈଠ କରିବାକୁ କହିଥିଲେ । ନଚେତ୍ ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ ତତ୍‌କ୍ଷଣାତ୍ ବିଚ୍ଛିନ୍ନ କରାଯିବ ବୋଲି ଧମକ ଦେଇଥିଲେ । ଏହା ଶୁଣି ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଉତ୍ତେଜନା ବଢ଼ିବାରୁ ଗ୍ରାମବାସୀ ଏକାଠି ହୋଇ ଟାଟା ପାୱାର କର୍ମଚାରୀ ଓ ୨ଟି ଗାଡ଼ିକୁ ଗାଁ ମଝିରେ ଅଟକ ରଖିଥିଲେ । ଲୋକମାନେ ରାସ୍ତା ଉପରେ ଧାରଣାରେ ବସିଥିଲେ ।

Leave a Reply

Your email address will not be published. Required fields are marked *