କାଳିଆପାଣି : ଡିଜିଟାଲ୍ ଇଣ୍ଡିଆକୁ ନେଇ ସରକାରଙ୍କ ସୁଦୂର ପ୍ରସାରୀ ପରିକଳ୍ପନା ରହିଛି । ଜନତା ସ୍ମାର୍ଟ୍ ହେବା ଦିଗରେ ଟେଲି ଯୋଗାଯୋଗ ଓ ଇଣ୍ଟରନେଟ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏତେସବୁ ସତ୍ତ୍ବେ ଯାଜପୁର ଜିଲ୍ଲାର ଅର୍ଥନୈତିକ ଜୋନ୍ ସୁକିନ୍ଦା କ୍ରୋମ୍ ଉପତ୍ୟକାର ଅଧିକାଂଶ ସ୍ଥାନକୁ ସର୍ବନିମ୍ନ ଟେଲି ଯୋଗାଯୋଗ ବ୍ୟବସ୍ଥା ପହଞ୍ଚିପାରି ନାହିଁ । ନଗଡ଼ା, ଗୁହିଆଶାଳ ଓ ତୁମୁଣି ସମେତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନାତୋର, ବାଘୁଆସାହି, ଛତାଟାଙ୍ଗର, ଦେଓଗାଁ, କଙ୍କଡ଼ାଗୋଡ଼ି, କୁମୁଡ଼ିବାହାଳି, ଅଶୋକଝର, ଅରଡ଼ାପାଳ ହୁଡ଼ିସାହି ଓ ପାଟଣା ଦଲକସାହି, କଂସ ପଞ୍ଚାୟତର କଂସ, ଟିକରପଡ଼ା, ଜାରଗିସାହି, ବାହାଳିସାହି, ବିଟ୍ସାହି, ମହୁକଣ୍ଟାସାହି, ରାଁସୋଳ ପଞ୍ଚାୟତ ଅନ୍ତର୍ଗତ କାକୁଡ଼ିଆ, ପନାସିଆ ଓ କୁସୁମୁଣ୍ଡିଆ ମୁଣ୍ଡାସାହି, କାଙ୍କଡ଼ପାଳ ପଞ୍ଚାୟତର ଗିରିଙ୍ଗାମାଳି, କରଡ଼ାଗାଡ଼ିଆ, ଝରଣାସାହି, ପନାସିଆ; ପିମ୍ପୁଡ଼ିଆ ପଞ୍ଚାୟତର ନୂଆଡିହ, ବାମନଗର, ଆମ୍ବପାଳ ଓ ଅର୍ଜୁନଝର, ବାଟିସାହି, ବାଲିଅଞ୍ଜରି; କୁହିକା ପଞ୍ଚାୟତର ଜେମାଦେଇପୁର ରାଜସ୍ବ ମୌଜା, ବନ୍ଧଗାଁ ପଞ୍ଚାୟତର ରାଙ୍କିଆ ଓ କୋଇଲ, ମାଣତୀରା ଓ ନାଲୁଆବେଣା, ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ଅଶୋକଝର ପର୍ଯ୍ୟଟନ କ୍ଷେତ୍ର, ଭାଲୁକି ଓ ଗୋଡ଼ିସାହି ପ୍ରଭୃତି ଗାଁରେ ଏଯାବତ୍ ସାଧାରଣ ମୋବାଇଲ୍ ଫୋନ୍ ସେବା (ନେଟୱର୍କ) ଉପଲବ୍ଧ ହୋଇପାରୁନାହିଁ ।
ମୋବାଇଲ୍ ଫୋନ୍ ମାଧ୍ୟମରେ ସାମାନ୍ୟ କଥା ହେବା ପାଇଁ ଲୋକଙ୍କୁ ପାହାଡ଼ ଉପର, ଘର ଛାତ ଓ ଗଛ ଉପରକୁ ଚଢ଼ିବାକୁ ପଡ଼ୁଛି । ଏମିତିରେ ସ୍ମାର୍ଟ୍ ଫୋନ୍ ଅବସ୍ଥା ବି ତଦ୍ରୁପ । ଉପଭୋକ୍ତାମାନେ ଗାଁଠୁ ଦେଢ଼ରୁ ଦୁଇ କିଲୋମିଟର ଦୂରକୁ ଆସି ନିର୍ଦ୍ଦିଷ୍ଟ ସ୍ଥାନରେ ଠିଆହୋଇ କଥା ହେଉଥିବା/ନେଟ୍ ଚଳାଉଥିବା ଦେଖିବାକୁ ମିଳୁଛି । ଖଣି ଅଞ୍ଚଳ ଉପକଣ୍ଠ ଦାନଗଦୀ ବ୍ଲକର କିଆଝର ପଞ୍ଚାୟତର ଟୁଙ୍ଗେଇଶୁଣି, ରାଇଘାଟି ଓ ଚମ୍ପାଝର ରାଜସ୍ବ ମୌଜାରେ ବି ଟେଲି ଯୋଗାଯୋଗ ଅପହଞ୍ଚ ରହିଛି । ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ୧୫ କିଲୋମିଟର ଦୂର ଉପର ଟମକାରୁ କମର୍ଦ୍ଦା ପର୍ଯ୍ୟନ୍ତ ସାଧାରଣ ମୋବାଇଲ୍ ଫୋନ୍ ସେବା ଉପଲବ୍ଧ ନାହିଁ । ଗାଁରୁ ୪ କିଲୋମିଟର ଦୂର ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାତୋର ଗାଁର ଆଦିବାସୀ ଛାତ୍ର ଦାଖିନ ହାଁସଦା, ପଞ୍ଚମ ଶ୍ରେଣୀ ଛାତ୍ର ରତ୍ନା ମୁର୍ମୁ, ତୃତୀୟ ଶ୍ରେଣୀର ଫାଗୁନ ସୋରେନ ଓ ଗୋବିନ୍ଦ ସୋରେନଙ୍କୁ ଚାଳ ଛପର ଉପରେ ବସି ମୋବାଇଲ ଓ ବହିଖାତା ଧରି ପାଠ ପଢ଼ୁଥିବା ଦେଖିବାକୁ ମିଳିଥିଲା । ତଳସାହିର ଠାକୁର ମୁର୍ମୁଙ୍କ ଘର ଛପର ଉପରେ ନେଟୱର୍କ ଆସୁଥିବା ଜାଣି ସେମାନେ ନିଶୁଣି ପକାଇ ଛପର ଚଢ଼ିଥିବା କହିଥିଲେ । ୟୁଟ୍ୟୁବ୍ରେ ପାଠ ପଢ଼ିବା ପାଇଁ ତାଙ୍କର ଅନ୍ୟ କିଛି ସାଙ୍ଗ ଗଛ ଉପରେ ଚଢ଼ୁଥିବା ମଧ୍ୟ ସେମାନେ କହିଥିଲେ ।
ଖଣିଅଞ୍ଚଳର ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅତିମାତ୍ରାରେ ପ୍ରଭାବିତ ହୋଇଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଉପଲବ୍ଧ ଶିକ୍ଷା ସଂଯୋଗ ଓ ମଧୁ ଆପ୍ ଏସବୁ ଇଲାକାରେ ଉପହାସ ପାଲଟିଛି । ଛାତ୍ରଛାତ୍ରୀ ଦୂରେ ଥାଉ ଅଧିକାଂଶ ଶିକ୍ଷକଶିକ୍ଷୟିତ୍ରୀ ଏ ସଂପର୍କରେ ଅଜ୍ଞ ହୋଇ ରହିଛନ୍ତି । ବିଏସ୍ଏନ୍ଏଲ୍ ଅଧୀନ କାଳିଆପାଣି ଟେଲିଫୋନ୍ ଏକ୍ସଚେଞ୍ଜ ୩ ବର୍ଷ ଧରି ଅଚଳ । ଲ୍ୟାଣ୍ଡ୍ ଲାଇନ୍ ଟେଲି ବ୍ୟବସ୍ଥା ଠପ୍ ହୋଇଯାଇଛି । ଏହି ଏକ୍ସଚେଞ୍ଜ୍ରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟକୁ ଯୋଗାଯୋଗ ହେବାକୁ ଥିବା ବ୍ରଡବ୍ୟାଣ୍ଡ ସେବା କାର୍ଯ୍ୟକ୍ଷମ ହୋଇପାରିନି । ଯାଜପୁରରୋଡ୍ ସବ୍ ଡିଭିଜନରୁ କାଳିଆପାଣି ଏକ୍ସଚେଞ୍ଜ ପର୍ଯ୍ୟନ୍ତ ଲ୍ୟାଣ୍ଡ ଲାଇନ୍ ବିଛା କାମରେ ବ୍ୟାପକ ଦୁର୍ନୀତି ସାଙ୍ଗକୁ ଅନଭିଜ୍ଞ ଓ ଅପାରଗ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଏହି ରାଷ୍ଟ୍ରାୟତ୍ତ ସଂସ୍ଥା ସଂପୂର୍ଣ୍ଣ ଡୁବି ଯାଇଛି । ଏବେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ସମୟରେ କରୋନା କଟକଣା ପାଇଁ ଡିଜିଟାଲ୍ ପ୍ରଚାର ଉପରେ ନିର୍ବାଚନ କମିସନ ଗୁରୁତ୍ବ ଦେଉଥିବା ସ୍ଥଳେ ଏସବୁ ଏଠାରେ ଅମୂଳକ ବୋଲି ଅଭିଯୋଗ ହୋଇଛି । ନେଟୱର୍କ ବାହାରେ ରହୁଥିବାରୁ ଅଧିକାଂଶ ଗାଁରେ ମୋବାଇଲ ସେବା ପହଞ୍ଚି ପାରୁନାହିଁ । ଏ ବିଷୟରେ ସୁକିନ୍ଦା ତହସିଲଦାର କାବେରୀ ମୁଦୁଲିଙ୍କୁ ଯୋଗାଯୋଗ କରିବାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସେ ପଦକ୍ଷେପ ନେବେ କହିଥିଲେ ।
