ବେଗୁନିଆ : ଆଉ ୧୦ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏବେ ସବୁଆଡେ ପ୍ରଚାର ଜୋରଦାର ଚାଲିଛି । ଭୋଟରମାନଙ୍କୁ କିପରି ନିଜ ସପକ୍ଷରେ ଆକୃଷ୍ଟ କରିହେବ ସେଥିପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି । କଳେ ବଳେ କୌଶଳେ କିପରି ଭୋଟ ପାଇ ନିର୍ବାଚିତ ହେବେ ସେଥିପାଇଁ କେହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାନ୍ତି । ଏହି ପରିପ୍ରେକ୍ଷୀରେ ମାଦକ ଦ୍ରବ୍ୟ ମୁଖ୍ୟ ଆୟୁଧ ପାଲଟିଛି । ଯାହାକୁ ନେଇ ନିରୀହ ଜନସାଧାରଣ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ଏଥିରୁ ମଧ୍ୟ ବାଦ ପଡ଼ିନାହିଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ । ବେଗୁନିଆ ବ୍ଲକ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବନ୍ଦ ହେବାର ନାଁ ଧରୁନାହିଁ । ସନ୍ଧ୍ୟା ହେଲେ ଗ୍ରାମାଞ୍ଚଳର ବିଭିନ୍ନ ଛକ ସ୍ଥାନ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ, ଖୋର୍ଦ୍ଧାଅବକାରୀ ବିଭାଗର ଜନୈକ ଇନସ୍ପେକ୍ଟରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଯୋଗୁଁ ଏଠାରେ ମଦ ବେପାର ବୃଦ୍ଧି ପାଉଛି । ଅପର ପକ୍ଷରେ ନାମକୁ ମାତ୍ର ଛୋଟ ଛୋଟ ନିଶା ବ୍ୟବସାୟୀଙ୍କୁ ଧରି ଅବକାରୀ ବିଭାଗ ବାହା ବାହା ନେଉଥିବାବେଳେ, ବଡ଼ ମାଛମାନଙ୍କୁ ଧରିବାରେ ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହେଉଛି । ଫଳରେ ସନ୍ଧ୍ୟା ହେଲେ ଗ୍ରାମାଞ୍ଚଳର ବିଭିନ୍ନ ଛକମାନଙ୍କରେ ନିଶାଖୋରଙ୍କ ଆଡ୍ଡା ବସୁଥିବାରୁ ଝିଅ ବୋହୁମାନେ ଘରୁ ପଦାକୁ ବାହାରି ପାରୁ ନଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ପ୍ରକାଶ ଯେ, ବେଗୁନିଆ ବ୍ଲକରେ ଥିବା କେତେକ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନ ଗ୍ରାମାଞ୍ଚଳର ଏହି ଚୋରା ମଦ ବ୍ୟବସାୟୀମାନଙ୍କୁ ଅବକାରୀ ବିଭାଗ ଜ୍ଞାତ ସାରରେ ମଦ ଯୋଗାଇ ଦେଉଛନ୍ତି । ଦିନ ୧୦ଟା ପରେ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ଖୋଲିବା ପାଇଁ ନିୟମ ଥିବାବେଳେ ଦୋକାନରେ ମାଲିକମାନେ ସେମାନଙ୍କ ମନଇଚ୍ଛା ଦୋକାନ ଖୋଲି ମଦ ବିକ୍ରି କରୁଛନ୍ତି । ଏପରିକି ଅଧିକାଂଶ କାଉଣ୍ଟରରେ ନକଲି ମଦ ମଧ୍ୟ ବିକ୍ରି ହେଉଛି । ଖୋର୍ଦ୍ଧା ଅବକାରୀ ବିଭାଗର ସମ୍ପୃକ୍ତ ଇନସ୍ପେକ୍ଟର ଏହାର ମୁଖ୍ୟ ପୁରୋଧା ସାଜିଥିବାର ବିଭିନ୍ନ ସ୍ଥାନରେ ହେଉଥିବା ଅଲୋଚନାରୁ ଜଣାପଡ଼ିଛି । ଯେଉଁଠାରେ ମଦ ପ୍ରସ୍ତୁତ ହେଉଛି ସେଠାରୁ ସମ୍ପୃକ୍ତ ଇନ୍ସପେକ୍ଟର କେବଳ ମଦ ପ୍ରସ୍ତୁତ ସରଞ୍ଜାମ ସହିତ କିଛି ଦେଶୀ ମଦ ଜବତ କରୁଥିବାବେଳେ ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ ଗିରଫ କରିଥିବାର ନଜିର ନାହିଁ । ଅବକାରୀ ବିଭାଗର କର୍ମଚାରୀମାନଙ୍କର ଚଢ଼ାଉ ଖବର ମଦ ପ୍ରସ୍ତୁତ କରୁଥିବା ମାଫିଆମାନେ ଆଗୁଆ ପାଇଯାଉଥିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହେଉଛନ୍ତି ।
ବେଗୁନିଆ ବ୍ଲକରେ ଏପରି ଗାଁ ନାହିଁ ଯେଉଁଠି ଚୋରା ନିଶା କାରବାର ହେଉନାହିଁ ବୋଲି ଦମ୍ଭର ସହିତ କେହି କହିପାରିବେ । ଏବେ ପୁଣି ଚାଲିଛି ପଞ୍ଚାୟତ ନିର୍ବାଚନ । ବିନା ମାଦକ ଦ୍ରବ୍ୟରେ ଭୋଟର ପାହୁଣ୍ଡେ ଯିବା ପାଇଁ ପ୍ରସ୍ତୁତ ନୁହନ୍ତି । ଏହାର ସୁଯୋଗ ନେଇ ଚୋରା ବେପାରୀ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ପୂର୍ବ ଅପେକ୍ଷା କାରବାର ବଢିଯାଇଛି । ଗାଁର ଶାନ୍ତ ପରିବେଶ ଅଶାନ୍ତ ଆଡକୁ ଗତି କଲାଣି । ଆଗକୁ ଅଧିକ ହେବା ଆଶଙ୍କା ପ୍ରକାଶ ପାଇଲାଣି । ବିଶେଷକରି ଯୁବଗୋଷ୍ଠୀ ଏହାର କବଳିତ ହେଉଥିବାର ଦେଖିବାକୁ ମିଳୁଛି । ଆଗରୁ ପଞ୍ଚାୟତ ନିର୍ବାଚନରେ ବହୁଳ ଚୋରା ମଦ କାରବାର ହେଉଥିଲା । ଏଥର ବ୍ରାଉନସୁଗାର ଏଥିରେ ଯୋଡି ହୋଇଯାଇଥିବା ଦେଖିବାକୁ ମିଳୁଛି । ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନରେ ହିଂସା ଉଦ୍ରେକକାରୀ ଏହି ଦ୍ରବ୍ୟ ସବୁ କିପରି ନିଷିଦ୍ଧ ହେବ ସେଥିପ୍ରତି ଉଭୟ ପ୍ରଶାସନ ଓ ପୁଲିସ ସଚେତନ ହେବାସହ ଲୋକଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି । ବେଗୁନିଆରେ ଅନୌପଚାରିକ ଭାବେ ଅବକାରୀ ଥାନା ଖୋଲିଥିବାବେଳେ, ଖୋର୍ଦ୍ଧାରେ କାର୍ଯ୍ୟରତ ଜନୈକ ଅଧିକାରୀଙ୍କ ସ୍ୱାର୍ଥ ବ୍ୟାହତ ହେବା ଯୋଗୁଁ ଏଠାରେ କାର୍ଯ୍ୟରତ ଦୁଇ ଦୁଇ ଜଣ ଭାରପ୍ରାପ୍ତ ଅଧିକାରୀଙ୍କୁ ଏଠାରୁ ବଦଳି କରି ସମସ୍ତ କ୍ଷମତାକୁ କରାୟତ କରି ରଖିଛନ୍ତି । ଏବେ ଏଠାରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତିଙ୍କୁ ଏଠାକୁ ନଛାଡି ଖୋର୍ଦ୍ଧାରେ ରଖି ସମସ୍ତ କ୍ଷମତାର ଦୁରୂପଯୋଗ କରୁଛନ୍ତି ।
