ଅଦା ଚାଷୀଙ୍କ ମୁଣ୍ଡରେ ଚଡ଼କ, ବଜାର ଦର ଶୁଣି ଚିନ୍ତାରେ ଚାଷୀ

ପଟାଙ୍ଗି : ଗତବର୍ଷ ଭଳି ଚଳିତ ବର୍ଷ ବି ଅଦା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଯେଉଁ ଆଶା ନେଇ ଚାଷ କରିଥିଲେ ତାହା ଏବେ ମଉଳିବାରେ ଲାଗିଛି । ନିଜ ପାଖରେ ରଖିପାରୁଛନ୍ତି ନା ବିକ୍ରି କରିପାରୁଛନ୍ତି । ଦୁଇ ବର୍ଷ ହେଲା ବାହାର ରାଜ୍ୟରୁ ବହୁ ପରିମାଣରେ ଅଦା ଓଡ଼ିଶାକୁ ବିକ୍ରି ପାଇଁ ଆସିବା କାରଣରୁ ଏମିତି ସ୍ଥିତି ସୃଷ୍ଟି ହୋଇଛି । ବାଧ୍ୟ ହୋଇ ଚାଷୀ ଅତି ଶସ୍ତାରେ ଅଦା ବିକ୍ରି କରି ବିପୁଳ କ୍ଷତି ସହୁଛନ୍ତି । ସେହିପରି କିଛି ବ୍ୟବସାୟୀ ସିଧାସଳଖ ଚାଷୀଙ୍କ ଠାରୁ ଅଦା କିଣିଥିଲେ । ଦର ସାମାନ୍ୟ ବଢ଼ିଲେ ବିକ୍ରି କରିବାକୁ ଶହ ଶହ କ୍ବିଣ୍ଟାଲ ଗୋଦାମରେ ରଖିଥିଲେ । କିନ୍ତୁ ଏବେ ବିକ୍ରି ନ ହୋଇ ସଢ଼ିବା ଅବସ୍ଥାକୁ ଆସିଲାଣି । କିଛି ଚାଷୀ ଦର ଶୁଣିବା ପରେ ନିଜ ଜମିରୁ ଅଦା ଖୋଳିବା ପାଇଁ ସାହସ କରି ପାରୁନାହାନ୍ତି । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର ଶହ ଶହ ଅଦା ଚାଷୀ ଏବଂ ବ୍ୟବସାୟୀ ଏଭଳି ତ୍ରିଶଙ୍କୁ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ପଟାଙ୍ଗି ଅଞ୍ଚଳର ଚାଷୀ ମୁଖ୍ୟତଃ ଅଦା ଚାଷ କରିଥାନ୍ତି । ଏଠାକାର ଜଳବାୟୁ ଓ ମାଟି ଅଦା ଚାଷ ପାଇଁ ଉପଯୋଗୀ ହୋଇଥିବାରୁ ଏହା ପ୍ରଚୁର ପରିମାଣରେ ଉତ୍ପାଦନ ହୁଏ । ତେଣୁ ପିଢ଼ି ପିଢ଼ି ଧରି ଏହି ଚାଷ ଉପରେ ଅଧିକାଂଶ ପରିବାର ନିର୍ଭରଶୀଳ ।

ପୂର୍ବରୁ ଏହି ଅଞ୍ଚଳର ଶହ ଶହ କ୍ବିଣ୍ଟାଲ ଅଦା ପ୍ରତିଦିନ ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ସମେତ ବାହାର ରାଜ୍ୟକୁ ଯାଉଥିଲା । ପଟାଙ୍ଗି ଅଞ୍ଚଳରେ ହେଉଥିବା ଅଦା ଚାହିଦା ବାହାର ରାଜ୍ୟରେ ବି ରହିଛି । କିନ୍ତୁ ଦୁଇ ବର୍ଷ ହେଲା ଅଦା ଦର ଅସ୍ବାଭାବିକ ଭାବେ କମି ଯାଇଛି । ଏହା ପଛର ମୁଖ୍ୟ କାରଣ ହେଲା କର୍ଣ୍ଣାଟକରୁ ଶହ ଶହ କ୍ବିଣ୍ଟାଲ ଅଦା ଓଡ଼ିଶା ବଜାରକୁ ଆସୁଛି । ପଟାଙ୍ଗି ଅଦା ଯେଉଁ ସ୍ଥାନ ବଜାରରେ ସୃଷ୍ଟି କରିଥିଲା ତାହାକୁ ରାଜ୍ୟ ବାହାର ଅଦା କବ୍‌ଜା କରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଆପେ ଆପେ ପଟାଙ୍ଗି ଅଞ୍ଚଳର ଅଦା ଦର କମି ଯାଇଛି । ପୂର୍ବରୁ ଅଦା କିଲୋ ପିଛା ଦର ୫୦ ରୁ ୬୦ ଟଙ୍କା ରହିଥିଲା । କିନ୍ତୁ ବର୍ତ୍ତମାନ ଭଲ ଅଦା କିଲୋ ୧୨ ଟଙ୍କା ଏବଂ ସାଧାରଣ କିସମ ଅଦା କିଲୋ ୭ ରୁ ୮ ଟଙ୍କା ରହିଥିବା ପଟାଙ୍ଗି ଅଦା ବ୍ୟବସାୟୀ ଏନ. ଲୋକେଶ୍ବର ଚୌଧୁରୀ କହିଛନ୍ତି । ପଟାଙ୍ଗି ଅଞ୍ଚଳର ବ୍ୟବସାୟୀ ଚାଷୀଙ୍କ ଠାରୁ ସିଧାସଳଖ ଅଦା କିଣି ମାଳିପୁଟର ୪ଟି, କୁନ୍ଦୁଲିର ୩ଟି, ପୁକାଲିର ୩ଟି ଓ ପଟାଙ୍ଗିର ୫ଟି ଗୋଦାମରେ ରଖିଛନ୍ତି । ‌ତେବେ ଦର କମିବାରୁ ବ୍ୟବସାୟୀ ଏହାକୁ ବିକ୍ରି କରିପାରୁ ନାହାନ୍ତି । ଅନ୍ୟପଟେ ଜମିରୁ ଅଦା ଖୋଳି ନଥିବା ଚାଷୀ ଏଭଳି ଦର ଶୁଣିବା ପରେ ଖୋଳିବାକୁ ଆଉ ସାହସ କରି ପାରୁନାହାନ୍ତି । ଏପରିକି ଚଳିତ ବର୍ଷ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ବାହାରିବା କଷ୍ଟକର ବୋଲି ଅନେକ ଚାଷୀ କହିଛନ୍ତି । ସରକାରଙ୍କ ପକ୍ଷରୁ ଅଦା ବିକ୍ରି ପାଇଁ କୌଣସି ବ୍ୟବସ୍ଥା କରାଗଲେ ଚାଷୀ ଉପକୃତ ହେବେ । ନଚେତ୍‌ ଅଞ୍ଚଳର ଚାଷୀ ଆଉ ଅଦା ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବେନି ବୋଲି ପଟାଙ୍ଗିର ଚାଷୀ ଟୁନା ଡାକୁଆ କହିଛନ୍ତି । ଏକର ପିଛା ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଅଦା ଚାଷ କରାଯାଇଥିବା ବେଳେ, ବର୍ତ୍ତମାନ ଏହାକୁ ବିକ୍ରି କଲେ ୩୦ ରୁ ୪୦ ହଜାର ଟଙ୍କା ମିଳିବ ବୋଲି ଚାଷୀ କହିଛନ୍ତି । ବିଭିନ୍ନ ବ୍ୟାଙ୍କ ଓ ସାହୁକାରଙ୍କ ଠାରୁ ଋଣ ଆଣି ଚାଷୀ ଅଦା ଚାଷ କରିଥିବା ବେଳେ ଋଣ ପରିଶୋଧ ଓ ପରିବାର ଚଳାଇବା ଚିନ୍ତା ଏମାନଙ୍କୁ ଘାରିଛି ।

Leave a Reply

Your email address will not be published. Required fields are marked *