ଗୁଡଭେଲା : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ରହିଛି ଗୁଡଭେଲା ବ୍ଳକ । ଏହି ବ୍ଳକରୁ ବିପୁଳ ପରିମାଣରେ ଭୋଟ ପାଇଁ ମନ୍ତ୍ରୀ ହୋଇଛନ୍ତି ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ । ହେଲେ ରାହୁଳ ନଦୀ କୂଳରେ ବସାଯାଇଥିବା ୩୩/୧୧ ଗ୍ରୀଡ କାର୍ଯ୍ୟକ୍ଷମ ନ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ବ୍ଳକର ୮ଟି ପଞ୍ଚାୟତରେ ୫୮ଟି ଗାଁର ଲୋକେ ବହୁତ ଦିନ ଦାବି କଲାପରେ ୨୦୧୪ ରେ ପ୍ରାୟ ୬ କୋଟି ଟଙ୍କା ଗ୍ରୀଡ ରାହୁଳ ନଦୀ କୂଳରେ ସ୍ଥାପନ ହେବ ବୋଲି ଜାଣିଲା ପରେ ଅଞ୍ଚଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ହେଲେ ଆଜକୁ ୭ ବର୍ଷ ପୁରିବାକୁ ବସିଲାଣୀ କାର୍ଯ୍ୟକ୍ଷମ ହୋଇପାରି ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ୪୦ ବର୍ଷରୁ ଉର୍ଦ୍ଧ ହେବ ଖୁଣ୍ଟରେ ତାର ଟଣାଯାଇ ବିଦ୍ୟୁତ ଯୋଗାଇ ଦିଆଯାଉଛି । ଯାହା ଫଳରେ ଲୋଭୋଲଟେଚ୍ ସମସ୍ୟା ସୃଷ୍ଟି ହେଉଛି । ଖରା ଦିନ ଆସିଲା ମାତ୍ରେ ଖରାରେ ପଙ୍ଖ। ଘୁରିପାରୁ ନଥିବାରୁ ଗରମରେ ଡହଳ ବିକଳ ହୋଇଥାନ୍ତି ସାଧାରଣ ଜନତା । ଉଠାଜଳସେଚନ ମଧ୍ୟ ଠିକ ଭାବରେ ଚାଲୁନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥାଏ । ସାମାନ୍ୟ ପବନ ହେଲେ ମଧ୍ୟ ବିଦ୍ୟୁତ ସରବରାହ ବନ୍ଦ ରହୁଥିବାରୁ ଦିନ ଦିନ ଅନ୍ଧାରରେ ରହିବାକୁ ପଡିଛି । ବିଭିନ୍ନ କାରଣ ଦର୍ଶାଇ ୪ ବର୍ଷ ଧରି କାମ ବନ୍ଦ ହୋଇଥିଲା । ଗତ ବର୍ଷ ଫେବ୍ରୁଆରୀ ୨୦ ତାରିଖରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଞ୍ଚଳ ଲୋକେ ଭେଟି ଏହି ବିଷୟରେ ଅବଗତ କରିବାରୁ ବିଭାଗ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲା ପରେ ମେ ମାସରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇ କାମ ଆରମ୍ଭ କରିଥିଲେ । ହେଲେ ଠିକାଦାର ମେ ମାସରେ ମଧ୍ୟ କାମ ଶେଷ ନହେବାରୁ ୬ ଜୁଲାଇରେ ଟୁକୁନି ସାହୁ ନିଜେ ନିର୍ମାଣ ସ୍ଥଳକୁ ଆସି ଦେଖିବା ସହ ସେପ୍ଟେମ୍ବର ମାସରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ମଧ୍ୟ ବେଖାତିର କରି ଆଜି ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ । ଗତ ବୁଧବାର ଦିନ ଗୁଡଭେଲାରେ ଜିଲ୍ଲା ପରିଷଦ ଭୋଟ ପ୍ରଚାର ସଭାରେ ପୁଣି ୨ ମାସ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ଭାଷଣ ଦେଇଥିବାରୁ ତାହା କେତେ ସତ୍ୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି କଲାଣି ।
