କୋରେଇ : କୋରେଇ ବ୍ଲକ୍ ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ବଗିରିଆ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଶୁକ୍ରବାର ଦିନ ଉତ୍ତେଜନା ଦେଖାଦେଇଥିଲା । ଦିନଦିନ ଧରି କାର୍ଯ୍ୟାଳୟ ବନ୍ଦ ରହିବା ଓ ସମ୍ପାଦକ ତାଙ୍କ ପତ୍ନୀଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ କରି ବହୁଚାଷୀ ସମିତି କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିଥିଲେ । ବ୍ଲକ୍ ସମବାୟ ବିଭାଗର ସିଓଓ ପ୍ରଶାନ୍ତ କୁମାର କର ପହଞ୍ଚି ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ଘଟଣା ମୁତାବକ, ବଗିରିଆ ପ୍ୟାକ୍ସ ଧାନମଣ୍ଡିରେ ଚଳିତ ବର୍ଷ ୫୧୮ ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜିକୃତ ହୋଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ମାତ୍ର ୧୩୮ ଜଣ ଚାଷୀ ଧାନ ବିକ୍ରି କରିଥିବା ବେଳେ ଅବଶିଷ୍ଟ ଚାଷୀ ଧାନଦେଇ ପାରିନାହାନ୍ତି । କେତେକ ଚାଷୀଙ୍କ ନିକଟକୁ ଧାନବିକ୍ରି ପାଇଁ ମେସେଜେ ଆସିଥିଲେ ମଧ୍ୟ ଟାର୍ଗେଟ୍ ନଥିବା ଦର୍ଶାଇ ଏହି ମଣ୍ଡିରେ ଧାନ କିଣାଯାଉନାହିଁ । ଅନ୍ୟପକ୍ଷରେ ଧାନ ବିକ୍ରି କରିଥିବା ଚାଷୀ ଆଖି ସ୍କାନ ଓ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ଅପେକ୍ଷାରେ ରହିଥିଲେ ମଧ୍ୟ ଏହି ପ୍ୟାକ୍ସର ସମ୍ପାଦକ ସୁଦର୍ଶନ ମଲିକ ବହୁଦିନ ହେଲା କାର୍ଯ୍ୟାଳୟକୁ ଆସୁନଥିବା ଚାଷୀମାନେ ଅଭିଯୋଗ କରିଥିଲେ । ତାଙ୍କ ପତ୍ନୀ ଚଳିତ ପଞ୍ଚାୟତ ନିର୍ବାଚନରେ ଅମୃତିଆ ପଞ୍ଚାୟତରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ସମ୍ପାଦକ ଶ୍ରୀ ମଲିକ କାର୍ଯ୍ୟାଳୟକୁ ନଆସି ପ୍ରଚାରରେ ବ୍ୟସ୍ତ ରହୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଫଳରେ ଧାନ ବିକ୍ରି କରିଥିବା ଶହଶହ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସି ପାରୁନାହିଁ । ଏପରି ଅଭିଯୋଗ କରି ଚାଷୀମାନେ ଆଜି ସମିତି କାର୍ଯ୍ୟାଳୟ ଆଗରେ ହୋହାଲ୍ଲା କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ସମବାୟ ସିଓଓ ଶ୍ରୀ କର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଚାଷୀଙ୍କୁ ବୁଝାସୁଝା କରିବା ସହ ଅଭିଯୋଗର ତଦନ୍ତ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ଏସମ୍ପର୍କରେ ସିଓଓ ଶ୍ରୀ କର କହିଛନ୍ତି ଯେ, ଚାଷୀଙ୍କ ଅଭିଯୋଗ ଉପରେ ତଦନ୍ତ କରାଯାଇ ଜିଲ୍ଲା କାର୍ଯ୍ୟାଳୟକୁ ରିପୋର୍ଟ ପ୍ରଦାନ କରାଯିବ । ଏହା ସହିତ ଆସନ୍ତା ଦୁଇଦିନ ମଧ୍ୟରେ ଧାନ ବିକ୍ରି କରିଥିବା ସମସ୍ତ ଚାଷୀଙ୍କ ଆଖି ସ୍କାନ ଓ ଅନ୍ୟାନ୍ୟ ପ୍ରକ୍ରିୟା କରାଯାଇ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯିବ । ତେବେ ଚାଷୀମାନେ ଏସମ୍ପର୍କରେ ମଧ୍ୟ ଯାଜପୁର ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଛନ୍ତି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସମିତିର ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନବିକ୍ରି ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି ।
