ଅଦିନିଆ ବର୍ଷାରେ ବେହାଲ କେନ୍ଦୁଝର ସହର, ପ୍ରବଳ ବର୍ଷା‌ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ

କେନ୍ଦୁଝର : ଅଦିନିଆ ବର୍ଷାରେ ବେହାଲ ହୋଇପଡ଼ିଛି କେନ୍ଦୁଝର ସହର । ଶୁକ୍ରବାର ସକାଳେ ପ୍ରବଳ ବର୍ଷା‌ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ସହରର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମିଛି । ଡ୍ରେନେଜ୍‌ ବ୍ୟବସ୍ଥା ଭଲ ନଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । କେନ୍ଦୁଝର ସହରରେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନ୍‌ ତିଆରି ହେଉଛି । ହେଲେ ଡ୍ରେନଗୁଡ଼ିକ ପଙ୍କରେ ପୋତି ହୋଇଯାଉଥିବାରୁ ଜଳ ନିଷ୍କାସନର ହୋଇପାରୁ ନାହିଁ । କେତେକ ସ୍ଥାନରେ ଲୋକେ ଡ୍ରେନ୍‌କୁ ଜବରଦଖଲ କରି ରଖିଛନ୍ତି । ଡ୍ରେନ୍‌ ଉପରେ ଦୋକାନ ଘର ହୋଇଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ବର୍ଷା ହେଲେ ସ୍ଥିତି ସଂଗିନ ହେଉଛି । କେନ୍ଦୁଝର ସହର ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଇପାସ୍‌ରେ ୨୫ ତାରିଖରୁ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି । ଏହି ରାସ୍ତାରେ ହଜାର ହଜାର ଭାରୀଯାନ ଚଳାଚଳ କରୁଛି । ରାସ୍ତା ଅବସ୍ଥା ଶୋଚନୀୟ ଏବଂ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି । ବର୍ଷା ହେବା ପରେ ଖାଲରେ ପାଣି ଜମିଥିବାରୁ ଲୋକଙ୍କୁ ଯାତାୟାତରେ ଅସୁବିଧା ହେଉଛି । ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି । ଶଙ୍କରପୁର ଠାରୁ ଜୁଡ଼ିଆଘଟି ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୨ କୋଟି ୯୮ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି । ଏନ୍‌ଏଚ୍‌ଏଆ‌ଇର ମୁଖ୍ୟଯନ୍ତ୍ରୀ ବୈଷୟିକ ଅନୁମୋଦନ ପ୍ରଦାନ କରିଛନ୍ତି । ମୋଟ ବ୍ୟୟ ଅଟ୍ଟକଳରୁ ମୁଖ୍ୟରାସ୍ତା ନିର୍ମାଣ ପାଇଁ ୯ କୋଟି ୨୦ ଲକ୍ଷ ୨୯ ହଜାର ୯୧୩ ଟଙ୍କା ଖର୍ଚ୍ଚ ହେବ । ରାସ୍ତା ପାର୍ଶ୍ବରେ ଡ୍ରେନ୍‌ ନିର୍ମାଣ ପାଇଁ ୮୫ ଲକ୍ଷ ୨୬ ହଜାର ୪୭୭ ଟଙ୍କା ଖର୍ଚ୍ଚ ହେବ । ସେହିପରି ରାସ୍ତାରେ ବିଭିନ୍ନ ସୂଚନା, ସୁରକ୍ଷା କାର୍ଯ୍ୟ ପାଇଁ ୬୩ ଲକ୍ଷ ୪୮ ହଜାର ୮୫୪ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ଜିଏସ୍‌ଟି ଦେୟ ବାବଦକୁ ୧ କୋଟି ୨୮ଲକ୍ଷ ୨୮ହଜାର ୬୨୯ ଟଙ୍କା ଓ କାର୍ଯ୍ୟ ତଦାରଖ ବାବଦକୁ ୧ କୋଟି ୧ ଲକ୍ଷ ୫୫ ହଜାର ୯୯୭ ଟଙ୍କା ରଖାଯାଇଛି । ମୁଖ୍ୟରାସ୍ତାର ମଝିରେ ମଝିରେ ବଡ଼ବଡ଼ ଗାତ ହୋଇଥିବାବେଳେ, ଏହାକୁ ଠିକାସଂସ୍ଥା ପକ୍ଷରୁ ସାମାନ୍ୟ ମରାମତି କରାଯାଇଛି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ରାସ୍ତାକୁ ଖୁବଶୀଘ୍ର ନିର୍ମାଣ କରିବାକୁ ଦାବି ହୋଇଛି । ପ୍ରଥମେ ଡ୍ରେନେଜ୍‌ କାମ କରିବାକୁ ସହରବାସୀ ଦାବି କରିଛନ୍ତି । ସେହିପରି କେନ୍ଦୁଝର ସହରରେ ମାଷ୍ଟର ଡ୍ରେନ୍‌ ନଥିବାରୁ ସାମାନ୍ୟ ବର୍ଷା ହେଲେ ସହରର ସବୁ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ସହରର ଡ୍ରେନେଜ୍‌ ସମସ୍ୟା ପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *