ବଣାଇ : ଲହୁଣୀପଡା ବଜାର ନିକଟରୁ ଆଜକୁ ୧୨ ଦିନ ତଳେ ଚୋରି ହୋଇଥିବା ପିକଅପ ଭେନକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ଲହୁଣୀପଡା ପୋଲିସ । ଘଟଣାରୁ ପ୍ରକାଶ ଲହୁଣୀପଡାରେ ରହୁଥିବା ମୁକେଶ ଶାହା ଏକ ପିକଅପ ଭେନରେ ବିଭିନ୍ନ ପ୍ରକାରର ଲୌହ ସାମଗ୍ରୀ ସହିତ କପଡ଼ା ଓ ଘର କରଣା ଜିନିଷ ନେଇ ପ୍ରତ୍ୟେକ ସାପ୍ତାହିକ ହାଟକୁ ନେଇ ବିକ୍ରି କରିଥାନ୍ତି । ଗତ ଜାନୁଆରୀ ୨୦ ତାରିଖ ଦିନ ବଜାର ଯାଇ ସନ୍ଧ୍ୟାରେ ଘରକୁ ଆସି ଘର ସମ୍ମୁଖରେ ସମସ୍ତ ସାମଗ୍ରୀ ସହିତ ଗାଡିକୁ ଛିଡ଼ା କରିଥିଲେ । ପରଦିନ ସକାଳୁ ଉଠିଲା ବେଳକୁ ଗାଡି ଚୋରି ହୋଇଥିବା ଦେଖିବାକୁ ମିଳିଥିଲା । ପରେ ସେ ଲହୁଣୀପଡା ଥାନାକୁ ଯାଇ ଚୋରି ବିଷୟରେ ଅଭିଯୋଗ କରିଥିଲେ । ମୋକଦ୍ଦମା ରୁଜୁ କରି ଲହୁଣୀପଡା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ଦୀର୍ଘ ୧୨ ଦିନ ପରେ ବିଶ୍ରା ଅଞ୍ଚଳରୁ ଚୋରି ସାମଗ୍ରୀ ସହିତ ପିକଅପ ଭେନ ଉଦ୍ଧାର କରାଯାଇଛି । ଘଟଣାରେ ବିଶ୍ରା ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
