ମାଲକାନଗିରି : ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ମାହୋଲ ମଧ୍ୟ ସେତେ ଜମିବାରେ ଲାଗିଛି । କେଉଁଠି ଜନତା ବିଭିନ୍ନ ଦାବି ନେଇ ଭୋଟ ବର୍ଜନ କରୁଛନ୍ତି, ତ କେଉଁଠି ପାଠୁଆ ଶିଖିତ ଯୁବକ ନିଜ ଗାଁ ପାଇଁ କିଛି କରିବାକୁ ରାଜନୀତି ମୈଦାନକୁ ଆଗେଇ ଆସିଛନ୍ତି । ଅନ୍ୟପଟେ ନିର୍ବାଚନକୁ ବିରୋଧ କରି ସ୍ୱାଭିମାନ ଅଞ୍ଚଳରେ ମାତିଛନ୍ତି ମାଓବାଦୀ । ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ଲଗାଇଲେ ପୋଷ୍ଟର । ସି.ପି.ଆଇ. ବିଶାଖା ମାଓ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ପଞ୍ଚାୟତ ନିର୍ବାଚନକୁ ବିରୋଧ କରିବା ସହ ଯେଉଁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସେଗୁଡିକୁ ପ୍ରତ୍ୟାହାର କରିବା ପାଇଁ ଉଲ୍ଲେଖ ରହିଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ନକଲେ କଷ୍ଟ ଭୋଗିବେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ଫେବୃଆରୀ ୧୬ ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ହେବ । ସେହିପରି ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ । ଭୋଟ ଗଣତି ସମାପ୍ତ ସହ ଫେବୃଆରୀ ୨୮ ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ । ୬ ହଜାର ୬୬୭ ଆସନ ପାଇଁ ସରପଞ୍ଚ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ୮୫୩ ଜିଲ୍ଲା ପରିଷଦ ଜୋନ ପାଇଁ ହେବ ଲଢ଼େଇ । ସେହିପରି ୬,୪୬୭ ସମିତି ସଭ୍ୟ ଓ ୫୫,୩୬୭ ଜଣ ୱାର୍ଡମେମ୍ବର ଆସନ ପାଇଁ ମଧ୍ୟ ନିର୍ବାଚନ ଲଢ଼ିବେ ପ୍ରାର୍ଥୀ । କିଏ କରିବ ବାଜିମାତ ତାହା ଉପରେ ସମସ୍ତଙ୍କ ନଜର ।
