ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି, ସିସିଟିଭିରେ ରେକର୍ଡ ହୋଇଛି ସମ୍ପୂର୍ଣ୍ଣ ଘଟଣା

ବାଲିପାଟଣା : ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି । ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଳକାଟି ପ୍ରତାପଶାସନ ଗାଁର ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରୁ ଯୁଗଳ ମୂର୍ତ୍ତି ଚୋରି ହୋଇଛି । ୨ ଜଣ ଦୁର୍ବୃତ୍ତ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି । ମୂର୍ତ୍ତି ଚୋରି କରି ନେଉଥିବା ବେଳର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ଘଟଣାସ୍ଥଳରେ ବାଳକାଟି ଫାଣ୍ଡି ପୋଲିସ ପହଁଞ୍ଚି ତଦନ୍ତ କରୁଛି । ଖବର ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଳକାଟି ପ୍ରତାପଶାସନ ଗାଁର ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରୁ ଗତକାଲି ବିଲମ୍ବିତ ରାତିରେ ଯୁଗଳ ମୂର୍ତ୍ତି ଚୋରି ହୋଇଛି । ଆଜି ସକାଳୁ ମନ୍ଦିର ପୂଜକ ମନ୍ଦିରରେ ପହଁଞ୍ଚିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି ମନ୍ଦିରରେ କେବେ ତାଲା ପଡେ ନାହିଁ । ତେଣୁ ଚୋରମାନେ ଖୁବ୍ ସହଜରେ ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି । ତେବେ ଚୋରି ହୋଇଥିବା ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ ହୋଇଥିବା କାରଣରୁ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ମୂର୍ତ୍ତିର ଉଚ୍ଚତା ୧ ଫୁଟ ରୁ ଅଧିକ ହୋଇଥିବା ମନ୍ଦିର ପୂଜକ କହିଛନ୍ତି ।

Leave a Reply

Your email address will not be published. Required fields are marked *