ବଣାଇ : ବଣାଇ ଉପଖଣ୍ଡ କେନ୍ଦ୍ରୀକଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପରପଡା ଗ୍ରାମର (ବରଡାବାହଲ) ଛକ ନିକଟରେ ଥିବା ପାନୀୟ ଜଳ ପ୍ରକଳ୍ପଟି ଆଜକୁ ପ୍ରାୟ ୨ ମାସ ହେବ ଅଚଳ ଅବସ୍ଥାରେ ପଡ଼ିରହିବା ଫଳରେ ଉପରପଡା, ବର୍ଡାବାହାଲ, ମଧୁପୁର ଇତ୍ୟାଦି ୩ଟି ଗ୍ରାମର ଲୋକେ ପିଇବା ପାଣି ନ ପାଇ ହନ୍ତସନ୍ତ ହେଉଥିବା ଦେଖାଯାଇଛି । ଆଜିକୁ ୪ ବର୍ଷ ପୂର୍ବେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ଏହି ପ୍ରକଳ୍ପରେ ୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବିନିଯୋଗ କରାଯାଇ ଓଭରହେଡ୍ ପାଣି ଟାଙ୍କି କରାଯାଇ ଉପରପଡା ବର୍ଡାବାହାଲ ମଧୁପୁର ପ୍ରଭୃତି ଗ୍ରାମର ୩୦୦ ରୁ ଉର୍ଦ୍ଧ୍ବ ପରିବାରଙ୍କୁ ପାଇପ୍ ଲାଇନ୍ ସଂଯୋଗ କରାଯାଇ ଜଳ ଯୋଗାଣ କରାଯାଇଥିଲା । କିନ୍ତୁ ଦୀର୍ଘ ୨ ମାସ ହେବ ମୋଟର ପୋଡ଼ି ଯାଇଥିବା ଦର୍ଶାଇ ଜଳ ଯୋଗାଣ ବନ୍ଦ ଯୋଗୁଁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଏ ବାବଦରେ ଠିକା ସଂସ୍ଥାକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋୖଣସି ସୁଫଳ ମିଳିପାରିନଥିଲା । ଫଳରେ ଆଜି ଗ୍ରାମର ଅନେକ ମହିଳା ଗୋଷ୍ଠୀ ଏକତ୍ରିତ ହୋଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଡକାଇ ତୁରନ୍ତ ଜଳ ଯୋଗାଣ ସମସ୍ୟା ସମ୍ପର୍କରେ ସମାଧାନ କରିବା ନିମନ୍ତେ ଅନୁରୋଧ କରିବାରୁ, ଦୁଇ ଦିନ ମଧ୍ୟରେ ମରାମତି କରାଯାଇ ଜଳ ଯୋଗାଣ ସ୍ବାଭାବିକ କରିବାକୁ କନିଷ୍ଠ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
