ଭଦ୍ରକ : ଭଦ୍ରକରେ ରାଜନୈତିକ ହତ୍ୟା ଅଭିଯୋଗ । ବିଜେପି କର୍ମୀ ଶୁଭାଶିଷଙ୍କୁ ହତ୍ୟା କରାଯାଇଥିବାର ସଙ୍ଗୀନ ଅଭିଯୋଗ । ଭଦ୍ରକ ବ୍ଲକ ଇଚ୍ଛାପୁରରେ ରାଜନୈତିକ ହିଂସାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଯୁବ ବିଜେଡ଼ିର କିଛି ନେତା ବିଜେପି କର୍ମୀଙ୍କୁ ମାଡ଼ ମାରି ପୋଖରୀରେ ପକାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ଓ ପରିବାର । ଗ୍ରାମବାସୀଙ୍କ ଠାରୁ ଖବରପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ପୋଖରୀରେ ମୃତଦେହ ଉଦ୍ଧାର କରିଛନ୍ତି । ସାବରଙ୍ଗ ଥାନା ଅଧିକାରୀ ସମେତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ଅଭିଯୋଗ ଅନୁଯାୟୀ ବିଜେଡି କର୍ମୀ ତଥା ବ୍ରହ୍ମପୁର ପଞ୍ଚାୟତର ପୁଅ ସେନାପତି ଓ ଲିଟୁ ସେନାପତି ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ପଲାଇ ମିଳିତ ଭାବେ ବ୍ରହ୍ମପୁର ବିଦ୍ୟାଳୟ ପଡିଆକୁ ଜବର ଦଖଲ କରିବା ସହ କ୍ଲବ ଘରକୁ ମଧ୍ୟ ନିଜ ଅକ୍ତିଆରକୁ ନେବାକୁ ବିରୋଧ କରୁଥିଲେ ମୃତକ ସୁଭାଶିଷ । ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତଦେହ ପୋଖରୀରୁ ଉଦ୍ଧାର ହେଲା ପରେ ସ୍ଥାନୀୟ ଗ୍ରାମବାସୀ ଇଚ୍ଛାପୁରରେ ମୃତ ଦେହ ରଖି ରାସ୍ତା ଅବରୋଧ କରିଥିଲେ । ଯେପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନାହିଁ, ପ୍ରତିବାଦ ଆଗକୁ ଜୋରଦାର କରାଯିବ ବୋଲି ବିଜେପିର ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ କହିଛନ୍ତି ।
