କ୍ଷମତାର ଅପବ୍ୟବହାର କରି ଭୋଟରଙ୍କୁ ଖୋଲାଖୋଲି ଭାବେ ଟଙ୍କା ବାଣ୍ଟୁଛନ୍ତି ବିଜେଡି ଦଳର ନେତା

ଭୁବନେଶ୍ବର : ଶାସକ ବିଜେଡି କ୍ଷମତାର ଅପବ୍ୟବହାର କରି ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି । ସରକାରୀ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ଟଙ୍କା ବଣ୍ଟା ଯାଉଥିଲେ ହେଁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ତେଣୁ ଟଙ୍କା ବାଣ୍ଟୁଥିବା ବିଜେଡି ନେତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନରଙ୍କ ନିକଟରେ ଦାବି କରିଛି । ବିଜେପିର ଏକ ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଜିଲ୍ଲା ପରିଷଦ ଜୋନ ନଂ-୧ ର ବିଜେଡି ପ୍ରାର୍ଥୀ ରାକେଶ ନାୟକ ଓ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା ଖୋଲାଖୋଲି ଭାବେ ସମସ୍ତଙ୍କ ଉପସ୍ଥିତିରେ ଭୋଟରଙ୍କୁ ଟଙ୍କା ବାଣ୍ଟି ଭୋଟ ଦେବା ପାଇଁ ବାଧ୍ୟ କରୁଥିବା ଭିଡ଼ିଓ କ୍ୟାମେରାରେ ରେକର୍ଡ ହୋଇଛି । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରଦର୍ଶିତ ହେଉଛି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ । ତେଣୁ ଆଇନ ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯାଉ । ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ଉମାକାନ୍ତ ପଟ୍ଟନାୟକ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ୍‌ସେଲର ଜୟନ୍ତ ଜେନା, ରବିଶଙ୍କର ପଟ୍ଟନାୟକ ଓ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *