ଭୁବନେଶ୍ବର : ୫ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁ କରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ବଡ଼ ଘୋଟାଲାର ପର୍ଦ୍ଦାଫାସ୍ କରିଛି । ଅଭିଯୁକ୍ତ କମ୍ପାନି ସମ୍ବନ୍ଧ ଫାଇନାନ୍ସ ୫ ବର୍ଷ ଭିତରେ ଶହେ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଇଓଡବ୍ଲୁ ପ୍ରମାଣ ପାଇଛି । ସମ୍ବନ୍ଧ ଫାଇନାନ୍ସ ଏମଡି ଦୀପକ କିଣ୍ଡୋ ଫେରାର ହୋଇଯାଇଥିବାବେଳେ, ତାଙ୍କ ପତ୍ନୀ ତଥା ଦିୟା ଡାଏରି ଆଗ୍ରୋ ପ୍ରୋସେସର୍ ପ୍ରାଇଭେଟ୍ ଲିମିଟେଡ୍ ଏମଡି ଅମ୍ରିତା କିଣ୍ଡୋଙ୍କୁ ଗତକାଲି ଇଓଡବ୍ଲୁ ଗିରଫ କରିଛି । ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ପରେ ଅମ୍ରିତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ମିଳିଥିବା ସୂଚନାଅନୁସାରେ, ଏସଏଚଜିକୁ ଋଣ ପ୍ରଦାନ କରିବା ଦର୍ଶାଇ ସମ୍ବନ୍ଧ ଫାଇନାନ୍ସ ୨୦୨୦ରେ ଅନ୍ନପୂର୍ଣ୍ଣ ଫାଇନାନ୍ସ ଠାରୁ ୫ କୋଟି ଟଙ୍କା ଋଣ ଆଣିଥିଲା । ଚୁକ୍ତି ମୁତାବକ ଋଣ ପରିଶୋଧ କରିନଥିଲା । ଯେଉଁ କାଗଜପତ୍ର ଦାଖଲ କରି ଋଣ ଅଣାଯାଇଥିଲା ତାହା ଜାଲ୍ ଥିଲା ବୋଲି ଜଣାପଡ଼ିଥିଲା । ଏ ନେଇ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନି ପକ୍ଷରୁ ୨୦୨୧ ଡିସେମ୍ବରରେ ଇଓଡବ୍ଲୁରେ ଅଭିଯୋଗ କରା ଯାଇଥିଲା । ଇଓଡବ୍ଲୁ ପକ୍ଷରୁ ଆଇପିସି ଦଫା-୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି)ରେ ସମ୍ବନ୍ଧ କମ୍ପାନି ବିରୋଧରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ଜଣା ପଡ଼ିଥିଲା କମ୍ପାନି ପକ୍ଷରୁ ଦାଖଲ ହୋଇଥିବା ସମସ୍ତ କାଗଜପତ୍ର ଜାଲ୍ ଥିଲା । କେବଳ ଅନ୍ନପୂର୍ଣ୍ଣା ନୁହେଁ ଦୁଇ ଘରୋଇ ବ୍ୟାଙ୍କ, ଏକାଧିକ ଫାଇନାନ୍ସ ସଂସ୍ଥାରୁ ମଧ୍ୟ ସମାନ ଧରଣର ଠକେଇ ହୋଇଥିଲା । ୨୦୧୫ ରୁ ୨୦୨୦ ମଧ୍ୟରେ ଏହି ସବୁ ଠକେଇ କରାଯାଇଥିଲା । ଠକେଇର ପରିମାଣ ଶହେ କୋଟି ଟଙ୍କା ଟପିଯିବ ବୋଲି ଇଓଡବ୍ଲୁର ଜଣେ ଅଧିକାରୀ କହିଛନ୍ତି । ଠକେଇ ଅର୍ଥରୁ ସମ୍ବନ୍ଧ ଫାଇନାନ୍ସର ସହଯୋଗୀ କମ୍ପାନି ଦିୟା ଡାଏରି ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟକୁ ୨୨ କୋଟି ୨୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଏଥିପାଇଁ ଦିୟା ଡାଏରି ଏମଡି ଅମ୍ରିତାଙ୍କୁ ଗିରଫ କରାଯାଇଥିବା ଇଓଡବ୍ଲୁ ପକ୍ଷରୁ କୁହାଯାଇଛି । ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରହିଥିବା ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ।
