ଦାରିଙ୍ଗବାଡ଼ି : ରାସ୍ତାରେ ଚାଲିଛି ଡ୍ରେନ୍ ପାଣି । ବିଦ୍ୟୁତ କାର୍ଯ୍ୟାଳୟ ଭିତରେ ପଶିଲା ଡ୍ରେନ୍ ପାଣି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଜାତୀୟ ରାଜପଥରେ କଡ଼ରେ ଦେଖିବାକୁ ମିଳିଛି ଏପରି ଚିତ୍ର । ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଜାତୀୟ ରାଜପଥ ୫୯ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଦୁଇମାସ ହେଲା ସରିଲାଣି କିନ୍ତୁ ସରିପାରୁନି ଡ୍ରେନ ନିର୍ମାଣ କାର୍ଯ୍ୟ । ନିର୍ମାଣ କାମ ଦରଖଣ୍ଡିଆ ହୋଇ ପଡିରହିଛି । ଯାହାଫଳରେ ଚାରିଛକ ତଳୁ ଯେଉଁ ଡ୍ରେନ ନିର୍ମାଣ ହୋଇଛି, ସେହି ଡ୍ରେନ୍ ପାଣି ଆସି କସମ ଅଫିସ ପାଖରେ ଦୁଇମାସ ହେଲା ଅଟକି ରହିଛି ।

ଡ୍ରେନରେ ଆସୁଥିବା ପାଣି ବିଦ୍ୟୁତ କାଯ୍ୟାଳୟ ଭିତରେ ପ୍ରବେଶ କରୁଛି । ପ୍ରତି ଦିନ ହଜାର ହଜାର ଲୋକେ ସେହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ଦୃଗନ୍ଧ ଲାଗି ରାସ୍ତାରେ ଯିବାଆସିବାରେ ବହୁ ଅସୁବିଧା ହେଉଛି ବୋଲି ଅଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କରୁଥିବା ସଂସ୍ଥାର ବେପାରୁଆ ମନୋଭାବ ଲାଗି ଅଧାରେ ଅଟକି ରହିଛି ଡ୍ରେନ୍ ନିର୍ମାଣ କାର୍ଯ୍ୟ । ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ଉଠିଛି ।
