ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ସବଡିଭିଜନ ଲହୁଣୀପଡା ଥାନା ଅନ୍ତର୍ଗତ, ବଣାଇରୁ ଟେନସାକୁ ସଂଯୋଗ କରୁଥିବା ରାସ୍ତାର ଦଲମକୁଚା ଘାଟି ନିକଟରେ ଦୁର୍ଘଟଣା ଘଟି ମା’, ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଗତକାଲି ୨ଟା ସମୟରେ ବିଶ୍ଵ ଭୁଷଣ ଦାସ ନିଜ ପରିବାର ସହ ଏକ ଅଟୋ ଯୋଗେ ଶ୍ୱଶୁର ଘର ଟେନସାରୁ ନିଜ ଘର ଲହୁଣୀପଡା ନିକଟସ୍ଥ କେନ୍ଦୁଡ଼ିହିକୁ ଫେରୁଥିବା ସମୟରେ ଘାଟି ନିକଟରେ ଏକ ହାଇୱା ଟ୍ରକ ଅଟୋକୁ ପଛପଟୁ ଧକ୍କା ଦେଇଥିଲା, ଫଳରେ ଅଟୋରେ ବସିଥିବା ସ୍ତ୍ରୀ ସାଇବାଣୀ ଦାସ (୨୭) ଓ ପୁଅ ଅଭୟ କୁମାର ଦାସ (୫) ଗୁରୁତର ଭାବେ ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଲହୁଣୀପଡା ଡାକ୍ତରଖାନାକୁ ପଠାଇ ଦେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ସହିତ ଘଟଣା ସ୍ଥଳରେ ଲହୁଣୀପଡା ପୋଲିସ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।
