କୋଇଡା : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଅରାଘାଟ ଗ୍ରାମର ଗୋପି ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମଦ ନିଶାରେ ନିଜ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଅନ୍ୟପଟେ ତିନି ଦିନ ଘର ଭିତରେ ଶବ ପଡିରହିବା ପରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପ୍ରାଥମିକ ତଦନ୍ତ ଅନୁଯାୟୀ କିଛିଦିନ ହେବ ସ୍ୱାମୀ ଶଙ୍କର ମୁଣ୍ଡା ଏବଂ ସ୍ତ୍ରୀ ସୁରୁମୁତି ମୁଣ୍ଡାଙ୍କ ମଧ୍ୟରେ ଘରୋଇ କଳି ଲାଗି ରହିଥିଲା । ଶେଷରେ ଶୁକ୍ରବାର ରାତ୍ରୀରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବା ପରେ ସ୍ତ୍ରୀ ମଦ ନିଶାରେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ସ୍ୱାମୀର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିବା ବେଳେ ନିଜେ ଏକୁଟିଆ କେଉଁଥିରେ ଓ କିପରି ଆକ୍ରମଣ କରି ସ୍ୱାମୀକୁ ହତ୍ୟା କଲା ନାଁ ଏଥିରେ ଅନ୍ୟ କେହି ସଂଶ୍ଳିଷ୍ଟ ଅଛନ୍ତି, ତାହା ଏବେ ସନ୍ଦେହ ଘେରରେ ରହିଥିବା ଜଣାପଡିଛି ।
