ବିଜେପି ମଣ୍ଡଳ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ: ଉପରେ ଦଳୀୟ ପତାକା ତଳେ ଜାତୀୟ ପତାକାର ଫଟୋ ସୋସିଆଲ ମିଡିଆରେ ଭାଇରଲ

ରେଙ୍ଗାଲି : ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସ ପାଳନ ଅବସରରେ ସମ୍ବଲପୁର ଜିଲ୍ଲାର ଲଇଡା ବିଜେପି କାର୍ଯ୍ୟାଳୟରେ ଜାତୀୟ ପତକାକୁ ଅସମ୍ମାନ କରାଯାଇଥିବାର ଚିତ୍ର ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହୋଇଛି । ବିଜେପି ଦଳର ପତାକା ଉଚ୍ଚରେ ଉଡୁଥିବା ବେଳେ, ଜାତୀୟ ପତାକା ତଳେ ରହିଛି । ଜାତୀୟ ପତକାକୁ ଏଭଳି ଅସମ୍ମାନ କରାଯିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି । ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ୍‍ ହେଲା ପରେ ସଚେତନ ମହଲରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବୀ ହେଉଛି । ଏ ସଂକ୍ରାନ୍ତରେ ବିଜେପି ଲଇଡା ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଠିଙ୍କୁ ପଚରା ଯିବାରୁ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ବିଜେପି ଦଳକୁ ବଦନାମ କରିବା ପାଇଁ ଏହା ବିଜେଡି ଦଳର ଚକ୍ରାନ୍ତ ବୋଲି ଶ୍ରୀ ପୃଷ୍ଟି ପ୍ରତିକ୍ରିୟା ବ୍ୟକ୍ତ କରି ଜାତୀୟ ପତାକା ଏବଂ ଦଳୀୟ ପତାକା ଉପରେ ରହିଥିବାକୁ ଅସ୍ୱୀକାର କରିଛନ୍ତି । ମଣ୍ଡଳ କାର୍ଯ୍ୟାଳୟରେ ପୂର୍ବରୁ ଦଳୀୟ ପତାକା ଉଡୁଛି । ଗଣତନ୍ତ୍ର ଦିବସ ଅବସରରେ ମଣ୍ଡଳ କାର୍ଯ୍ୟାଳୟର ଅନ୍ୟ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା । ବିଜେପି ଦଳକୁ ବଦନାମ ଏବଂ ଅପଦସ୍ତ କରିବାକୁ ଗଣତନ୍ତ୍ର ଦିବସ ପାଳନ ପରେ କର୍ମକର୍ତ୍ତା ଓ ସଭ୍ୟମାନେ ପାର୍ଟି କାର୍ଯ୍ୟାଳୟରୁ ଚାଲିଆସିଲା ପରେ ଜାତୀୟ ପତାକାକୁ ଖୁଣ୍ଟ ସହିତ ଉଠାଇ ଆଣି ଦଳୀୟ ପତାକା ଉଡୁଥିବା ଖୁଣ୍ଟର ତଳ ଭାଗରେ ବାନ୍ଧି ଦେଇ ସୋସିଆଲ୍‍ ମିଡିଆରେ ଫଟୋ ଭାଇରାଲ୍‍ କରାଯାଇଛି । ଏଭଳି ହୀନ ରାଜନୀତି ନିନ୍ଦନୀୟ ବୋଲି ମଣ୍ଡଳ ସଭାପତି ଶ୍ରୀ ପୃଷ୍ଟି ସ୍ପଷ୍ଟିକରଣ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *