କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଯିବା ସମୟରେ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ l ଦାଦନ ଶ୍ରମିକମାନେ ଲାଠୋର ଥାନା ଓ ପାଟଣାଗଡ଼ ଥାନା ଅଞ୍ଚଳର ବିଛିଲିବାହାଲ ଓ ଯୋଗୀମୁଣ୍ଡା ଗାଁର ବୋଲି ଜଣାପଡିଛି l ସେମାନଙ୍କ ମଧ୍ୟରୁ ୪ ପୁରୁଷ, ୮ ମହିଳା ଓ ଛୋଟ ଛୁଆ ୨ ଜଣ ଅଛନ୍ତି l ଉଦ୍ଧାର ଶ୍ରମିକମାନଙ୍କ ପାଖରେ ରାଜ୍ୟ ବାହାରକୁ ଦାଦନ ଯିବାର କୌଣସି କାଗଜପତ୍ର ନଥିଲା l ଯାହା ଫଳରେ ବେଆଇନ ଭାବରେ ଚାଲାଣ ହେଉଥିବା ଜଣାପଡିଛି l ଦାଦନ ସର୍ଦ୍ଦାର କଣ୍ଟାବାଞ୍ଜି ଷ୍ଟେସନରୁ ରାତି ଟ୍ରେନ ଯୋଗେ ରାଜ୍ୟ ବାହାରକୁ ସେମାନଙ୍କୁ ଚାଲାଣ କରିଥାନ୍ତା, ହେଲେ ରାତି ସମୟରେ କଣ୍ଟାବାଞ୍ଜି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ରେଲୱେ ଷ୍ଟେସନକୁ ଯାଉଥିବା ବେଳେ ରାସ୍ତାରୁ ହିଁ ଅଟକାଇ ଶ୍ରମିକମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଥାନାରେ ଅଟକ ରଖି ଅଧିକ ତଦନ୍ତ କରିଛି । ତେବେ ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ବେଳେ, ତାଙ୍କୁ ତାଙ୍କ ଘରକୁ ଛାଡି ଦେଇଥିବା ଜଣାଯାଇଛି । ଅନ୍ୟ ପଟେ ଦାଦନ ସର୍ଦ୍ଦାର ଫେରାର ହୋଇଥିବା ସୂଚନା ମିଳିଛି ।
