ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି ନିଶା ମାଫିଆ ସକ୍ରିୟ ହୋଇଛନ୍ତି । ପୁଣି କାରବାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ବୁଧବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ଓଆଇସି ରମାକାନ୍ତ ସାହୁଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ବାଞ୍ଜିପାଲିରୁ ସାନଉଡେନ ଯିବା ରାସ୍ତାରେ ଚଢାଉ କରି ଜୁରିଆ ପଟରୁ ଆସୁଥିବା ଓଆର୦୩ଜି-୫୨୦୭ ନମ୍ବର ବିଶିଷ୍ଟ ଏକ ବାଇକ୍ ସହ ବେଆଇନ ଚାଲାଣ ହେଉଥିବା ୧୫୫ ବୋତଲ କଫ୍ ସିରପ୍, ୩୦ଟି ନିଶା ବଟିକା, ଗୋଟିଏ ମୋବାଇଲ ଏବଂ ୧୫ ଶହ ଟଙ୍କା ସମେତ ଚାଲାଣକାରୀ ସୁକୁମାର ଭୋଇକୁ ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଧଣ୍ଡାମୁଣ୍ଡା ଗ୍ରାମର ସୁକୁମାର ଭୋଇ ବହୁ ଦିନରୁ ନିଶା କାରବାରରେ ଲିପ୍ତ ରହି ପୋଲିସକୁ ଚକମା ଦେଇ ଆସୁଥିଲା, କିନ୍ତୁ ପୋଲିସ ପଞ୍ଝାରେ ସେ ପଡିଛି । ଏହା ଖପ୍ରାଖୋଲ ପୋଲିସ ପାଇଁ ଏକ ବଡ ସଫଳତାର ବିଷୟ ହୋଇଛି ।
