କୋଟିଆକୁ ନେଇ ସର୍ବଦଳୀୟ କମିଟିରେ ପୁଣି ବିବାଦ

ଜୟପୁର : କୋଟିଆକୁ ନେଇ ସର୍ବଦଳୀୟ କମିଟିରେ ପୁଣିଥରେ ବିବାଦ । ପଟ୍ଟାଙ୍ଗୀ ଜୋନ୍ ୧ ପାଇଁ ସର୍ବସମ୍ମତ କ୍ରମେ ସର୍ବଦଳୀୟ କମିଟି ଦ୍ବାରା ମନୋନୀତ ପ୍ରାର୍ଥିନୀଙ୍କ ଠାରୁ ଦୂରେଇଲା ଜିଲ୍ଲା ବିଜେପି । ସର୍ବଦଳୀୟ କମିଟି ଦ୍ବାରା ମନୋନୀତ ପ୍ରାର୍ଥିନୀଙ୍କ ପଛରେ ଏକ ରାଜନୈତିକ ଦଳ ଥିବା ଅଭିଯୋଗ କରି ତାଙ୍କୁ ସମର୍ଥନ ନଦେବାକୁ ଜିଲ୍ଲା ସଭାପତି ଭିଡିଓ ବାର୍ତ୍ତା ଜାରି କରିଛନ୍ତି । କୋଟିଆ ପ୍ରସଙ୍ଗରେ ଏକତାର ବାର୍ତ୍ତା ଦେବାକୁ କୋରାପୁଟର ସବୁ ରାଜନୈତିକ ଦଳ ଏକାଠି ହୋଇ ମମତା ଜାନୀଙ୍କୁ ମିଳିତ ପ୍ରାର୍ଥିନୀ ଭାବେ ମନୋନୀତ କରିଥିଲେ । ହେଲେ ଜଣେ ବିଦ୍ରୋହୀ କଂଗ୍ରେସ ପ୍ରାର୍ଥିନୀ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏବେ ସେଠାରେ ସର୍ବଦଳୀୟ କମିଟିର ପ୍ରାର୍ଥିନୀ ଓ ସ୍ବାଧୀନ ପ୍ରାର୍ଥିନୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ । ହେଲେ ସର୍ବଦଳୀୟ କମିଟିର ପ୍ରାର୍ଥିନୀଙ୍କୁ ବିଜେପି ସମର୍ଥନ ନକରିବା ସହ ବିଜେପିର କୌଣସି ନେତାଙ୍କ ଫଟୋ ଓ ନିର୍ବାଚନ ସଙ୍କେତ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି । ତେଣୁ ପଟ୍ଟାଙ୍ଗୀ ୧ ଜିଲ୍ଲା ପରିଷଦ ଆସନ ପାଇଁ ସ୍ବାଧୀନ ପ୍ରାର୍ଥିନୀ ମମତା ଜାନୀ ଓ ଟିଟାଇ ଗେମେଲଙ୍କ ମଧ୍ୟରେ ଲଢେଇ ହେବ । ସେହିପରି କୋଟିଆ ପଞ୍ଚାୟତର ସରପଞ୍ଚ ପାଇଁ ୭ ଜଣ ପ୍ରାର୍ଥୀ ନିର୍ବାଚନ ଦୌଡରେ । ତେଣୁ ଆସନ୍ତା ୧୮ ତାରିଖରେ କୋଟିଆରେ ଭୋଟ୍ କରାଇବାକୁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲା ପ୍ରଶାସନ ।

Leave a Reply

Your email address will not be published. Required fields are marked *