ସ୍ଥାୟୀ ରାସ୍ତା ନିର୍ମାଣ ଦାବୀରେ ରାସ୍ତା ରୋକ ଓ ଭୋଟ ବର୍ଜନର ଚେତାଵନୀ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ପଂଚାୟତର ଅନ୍ଧାରୀମୂଲକ ଗାଁ ଭାବେ ଜଣାଶୁଣା କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି ଏବଂ ସାରୁପଦର ଭଳି ୫ଟି ପଛୁଆବର୍ଗ ଗ୍ରାମବାସୀଙ୍କ ପାଇଁ ପାଦଚଲା ରାସ୍ତାଭଳି ସର୍ବନିମ୍ନ ମୌଳିକ ସୁବିଧା ଆଜିବି ଅପହଂଚ ହୋଇରହିଛି । ସ୍ୱାଧିନତାର ବହୁବର୍ଷ ପରେ ବି ସେମାନେ ପରାଧିନ ଦେଶର ନାଗରିକ ଭାବେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସବୁ ପ୍ରୟାସ ସତ୍ୱେ ରାଜନେତା ଏବଂ ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତିରେ ପ୍ରତାରିତ ଗ୍ରାମବାସୀ ଏଥର ଭୋଟବର୍ଜ୍ଜନ ସହିତ ଜାତୀୟ ରାଜପଥ ଅବରୋଧ ଭଳି ଚରମ ନିଷ୍ପତିକୁ ବାଛିଛନ୍ତି । ଏ ବାବଦରେ ଏକ ଦାବୀପତ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।

ପଂଚାୟତ ମୁଖ୍ୟାଳୟକୁ ସଂଯୋଗ କରୁଥିବା ଦୀର୍ଘ ୧୦ କିଲୋମିଟର ସ୍ଥାୟୀରାସ୍ତା ନିର୍ମାଣ ଶୁଭାରମ୍ଭ ୧୫ ଦିନ ମଧ୍ୟରେ କରାନଗଲେ ଅପହଂଚ ଇଲାକାର ୫ଟି ଗାଁ ଲୋକେ ମାଧପୁର ଠାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ଆସନ୍ତା ୮ ତାରିଖରେ ଅବରୋଧ ପାଇଁ ଧମକ ଦେଇଛନ୍ତି । ଏହା ସହିତ ଗାଁ ଲୋକେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସାମୁହିକ ଭୋଟବର୍ଜ୍ଜନ କରିବା ପାଇଁ ଦାବୀପତ୍ରରେ ଜିଲ୍ଲାପାଳଙ୍କୁ ସଫା ସଫା ଗ୍ରାମର ମହେଶ୍ୱର ଦେହୁରୀ, ଅଚ୍ୟୁତାନନ୍ଦ ବେହେରା, ସତ୍ୟନାରାୟଣ ଦୀପ, ଅଗସ୍ତି ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *