ଵଣାଇ : ସାରା ଦେଶରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଵଣାଇ ଉପଖଣ୍ଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଵଣାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସକାଳ ୫ଟା ସମୟରେ ସାରା ସହର ପରିକ୍ରମା କରି ମାଇକ ଯୋଗେ ରାମଧୂନ ପରିବେଷଣ କରାଯାଇଥିଲା । ପ୍ରାତଃ ୭ଟା ସମୟରେ ବଣାଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପତାକା ଉତ୍ତୋଳନ କରିଥିଲେ ।

ସେହିପରି ଭାବେ ବଣାଇ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନ୍ କୋଭିଡ ନିୟମ ପାଳନ ଅନୁସାରେ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ କର୍ମଚାରୀଙ୍କୁ ସାଧାରଣତନ୍ତ୍ର ଦିବସ ଉପରେ ଆଲୋକପାତ କରିଥିଲେ । ଅନୁରୂପ ଭାବେ ଵଣାଇର ସାମ୍ବାଦିକ ଭବନ ଠାରେ ବରିଷ୍ଠ ସାମ୍ବାଦିକ ଦାମୋଦର ସାହୁ, ଦିଲିପ ତ୍ରିପାଠୀ, ରଣଜିତ୍ ଚୌଧୁରୀ, ରାଜେନ୍ଦ୍ର ପ୍ରଧାନ, ହବିବ ଖାନ୍ ପ୍ରମୁଖ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ ।
