ନୟାଗଡ : ରାତି ଅଧରେ ଏସଟିଏଫର ଚଢଉ । ବିପୁଳ ପରିମାଣର ଟଙ୍କା ଓ ଅସ୍ତ୍ରଶସ୍ତ୍ର ଜବତ । ସୋମବାର ବିଳମ୍ବିତ ରାତିରେ ନୟାଗଡ ସହରର ଉଦୟପଥର ସ୍ଥିତ ଏକ ଭଡା ଘରେ ଏସ୍.ଟି.ଏଫ୍ ଚଢଉ କରି ବିପୁଳ ପରିମାଣର ଟଙ୍କା, ବ୍ରାଉନ୍ ସୁଗାର ଏବଂ ବନ୍ଧୁକ ଜବତ କରିଛି । ତେବେ ମୂଖ୍ୟ ଅଭିଯୁକ୍ତ ଘରୁ ଫେରାର୍ ହେବାରେ ସଫଳ ହୋଇଛି । ଚଢଉରେ ୬୦ ଲକ୍ଷରୁ ଅଧିକ ଟଙ୍କା, ୪ କେଜିରୁ ଅଧିକ ବ୍ରାଉନ୍ସୁଗାର୍ ସହ ଦୁଇଟି ବନ୍ଧୁକ ଏବଂ ବିପୁଳ ମାତ୍ରାରେ ଗୁଳି ଜବତ କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ତେବେ ଏ ସମ୍ପର୍କରେ ଏସ୍.ଟି.ଏଫ୍ ପକ୍ଷରୁ କୌଣସି ସ୍ପଷ୍ଠ ସୂଚନା ଦିଆଯାଇନାହିଁ ।
ସୂଚନାନୁସାରେ, ନୟାଗଡ ସହରର ଉଦୟପଥରେ ବନିତା ଦାଶଙ୍କ ଏକ ଦୁଇମହଲା ଘର ରହିଛି । ଘରମାଲିକ ଭୁବନେଶ୍ବରରେ ରହୁଥିବାବେଳେ ଗତ ୩ ମାସ ତଳେ ଲିସା ମହାନ୍ତି ନାମକ ଜଣେ ମହିଳାଙ୍କୁ ଘର ଭଡା ଦେଇଥିଲେ । ଘରେ ଲିସା ତାଙ୍କର ସ୍ଵାମୀ ଏବଂ ତାଙ୍କର ଏକ ଛୋଟ ଛୁଆ ରହୁଥିଲେ । ମହିଳାଜଣଙ୍କ ନିଜ ନାଁ ଲିସା ମହାନ୍ତି କହିଥିବାବେଳେ ଘର ମାଲିକଙ୍କୁ ଦେଇଥିବା ଆଧାର କାର୍ଡରେ ମାନ୍ୟତା ମହାପାତ୍ର ଏବଂ ଘର ଖୋର୍ଦ୍ଧ। ସହରର ଜେମାଦେଇସାହି ଉଲ୍ଲେଖ ରହିଛି । ତେବେ ମହିଳାଙ୍କ ସ୍ଵାମୀଙ୍କ ପରିଚୟ ଜାଣିନଥିବା ଘର ମାଲିକ ସୂଚନା ଦେଇଛନ୍ତି । ମହିଳାଙ୍କ ସ୍ଵାମୀ ନୟାଗଡରେ ମାଛ ବେପାର କରୁଥିବା ଘରମାଲିକଙ୍କୁ ଜଣାଇଥିବା ସେ ସୂଚନା ଦେଇଥିଲେ । କୁହାଯାଉଛି ଯେ, ଏସଟିଏଫ୍ ଭୁବନେଶ୍ବରରେ ଜଣେ ଦମ୍ପତ୍ତିଙ୍କୁ ଗିରଫ କରିବା ସହ ବିପୁଳ ବ୍ରାଉନ୍ ସୁଗାର୍ ଜବତ କରିଥିଲା । ସେମାନଙ୍କଠାରୁ ସୂଚନା ପାଇ ଏସଟିଏଫ୍ ନୟାଗଡରେ ଚଢଉ କରି ସଫଳତା ପାଇଛି । ତେବେ ଚଢଉ ସମୟରେ ମୂଖ୍ୟ ଅଭିଯୁକ୍ତ ଖସିଯିବା ଏବଂ ଏତେସବୁ ଜବତ ପରେ ମଧ୍ୟ ମହିଳାଙ୍କୁ ନିଜ ହେପାଜତକୁ ନନେଇ ଏସଟିଏଫ୍ ଫେରିଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନୟାଗଡ ଜିଲ୍ଲାରେ ଏତେ ପରିମାଣର ବ୍ରାଉନ୍ସୁଗାର୍ ଜବତ ଘଟଣା ପ୍ରଥମ ହୋଇଥିବାବେଳେ ପୋଲିସ କିପରି ଏହାର ସୁରାକ୍ ପାଇଲା ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ରାଉନ୍ସୁଗାର ସହ ଟଙ୍କା ଏବଂ ବନ୍ଧୁକ ଜବତ ଘଟଣା ପରେ ଫେରାର୍ ବ୍ୟକ୍ତି ଅପରାଧ ଦୁନିଆରେ ସମ୍ପୃକ୍ତ ରହିଥିବା ମଧ୍ୟ ଅନୁମାନ କରାଯାଉଛି । ଏସଟିଏଫ ଘଟଣାର ଖୁଲାସା କରିବାପରେ ସବୁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
