ଗଛରେ ଝୁଲିଛି ୧୧ କେଭି ବିଦ୍ୟୁତ ତାର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର କଲୋନୀ ସାହିର ମୁନିଗା ଗଛରେ ବିଦ୍ୟୁତ ତାର ଗୁଡ଼ା ଯାଇଥିବା ଦେଖିବାକୁ ମିଳିଛି । ଜଗନ୍ନାଥପୁର କଲୋନୀ ସାହିରେ ବହୁଦିନ ଧରି ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଯାଇଥିଲା, ତାହା ବର୍ଷା ପବନ ହେବା ଯୋଗୁଁ  ଅଚାନକ  ଖୁଣ୍ଟଟି ଉପୁଡି ପଡିଯାଇଥିଲା । ଏହାକୁ ବିଦ୍ୟୁତ ବିଭାଗ ଜାଣି ୧୧ କେଭି ବିଦ୍ୟୁତ ତାର ଉକ୍ତ ଖୁଣ୍ଟରୁ ବାହାର କରି ନିକଟରେ ଥିବା ମୁନିଗା ଗଛରେ ଗୁଡାଇ ଦେଇ ଛାଡି ଦେଇଛନ୍ତି । ଏହାକୁ ନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାରମ୍ବାର ଜଣାଇବା ପରେ ଏକ ବିଦ୍ୟୁତ ଖୁଣ୍ଟ ଆଣି ପକାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ନୂତନ ବିଦ୍ୟୁତ ଖୁଣ୍ଟ ନପୋତି ଛାଡି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଗଛରେ ତାର ଗୁଡାଇ ହୋଇ ରହିବା ଦ୍ୱାରା କୌଣସି ବ୍ୟକ୍ତି ସଂସ୍ପର୍ଶରେ ଆସିବା ମାତ୍ରେ ଅଘଟଣ ନିଶ୍ଚୟ ଘଟିବ । ବିଦ୍ୟୁତ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ନୂତନ ବିଦ୍ୟୁତ ଖୁଣ୍ଟ ପୋତି ମୁନିଗା ଗଛରୁ ବିଦ୍ୟୁତ ତାର ବାହାର କରି ସଂଯୋଗ କରିବାକୁ ସାଧାରଣରେ ଦାବି କରିଛନ୍ତି । ଏ ବିଷୟରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *