ଦୁର୍ଦ୍ଦଶାରେ ତାଳପତ୍ର ଖୋଦେଇ ଶିଳ୍ପୀ

ପୁରୀ : କରୋନାର କରାଳ ପ୍ରଭାବରୁ ଶିଳ୍ପୀମାନେ ଏଯାଏ ମୁକୁଳି ପାରିନାହାନ୍ତି । ତାଳପତ୍ର ଖୋଦେଇ କାରିଗରୀ ଶିଳ୍ପକୁ ଭରସା କରି ବହୁ କଳାକାର ପରିବାର ପ୍ରତିପୋଷଣ କରୁଥିଲେ ହେଁ ବିକ୍ରିବଟାର ବାଟ ବନ୍ଦ‌ ହୋଇଯାଇଛି । ନା ‌ମେଳା ଆୟୋଜନ ହେଉଛି, ନା ବିଦେଶକୁ ରପ୍ତାନୀ ‌ହୋଇପାରୁଛି । ତେଣୁ କାରିଗରୀ ବୃତ୍ତି ହରାଇ ଦହଗଞ୍ଜ ହେଉଛନ୍ତି ତାଳପତ୍ର ଖୋଦେଇ ଶିଳ୍ପୀ । ପୁରୀ ଜିଲ୍ଲାରେ ୨ ହଜାରରୁ ଅଧିକ ଶିଳ୍ପୀ ତାଳପତ୍ର ଖୋଦେଇ କରି ଜୀବିକା ନିର୍ବାହ କରୁଛନ୍ତି । ଏହା ବ୍ୟତୀତ ତାଳ ଗଛରେ ଚଢ଼ି ପତ୍ର କାଟି ଯୋଗାଉଥିବା ଚମାର ଠାରୁ ଆରମ୍ଭ କରି ବହୁ ବ୍ୟକ୍ତିବିଶେଷ ଏହି ବୃତ୍ତି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ସହ ଜଡ଼ିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର କେବଳ ଏହି କଳା ପ୍ରତି ସମର୍ପିତ । କଳା ବିନା ସେମାନଙ୍କ ପାଇଁ ଆୟର ଅନ୍ୟ କୌଣସି ପନ୍ଥା ନାହିଁ । ଯଦିଓ କରୋନାର ଦ୍ବିତୀୟ ଲହର ପରେ ପୁଣି ଆଶା ଜାଗିଥିଲା, କିନ୍ତୁ ଓମିକ୍ରନ ଓ ସାମ୍ଭାବ୍ୟ ତୃତୀୟ ଲହର ପରେ ପୁଣି ମୋଡ଼ ବଦଳିଗଲା । କଞ୍ଚାମାଲ୍‌ର ଅଭାବ ନାହିଁ କି କାରିଗରୀ ବି ଥମିଯାଇନାହିଁ । କିନ୍ତୁ ମେଳା ବନ୍ଦ ପରେ କଳାକୃତିର ବିକ୍ରିବଟା ଠପ୍‌ ହୋଇଯାଇଛି । ଫଳରେ ଜୀବିକା ନିର୍ବାହ ପାଇଁ ଶିଳ୍ପୀମାନେ ଧାର କରଜରେ ବୁଡ଼ିଗଲେଣି । ପ୍ରତିଥର କରୋନାର ଧାରା କମିବା ପରେ ସେମାନଙ୍କ ଆଶା ଜାଗିଛି, କିନ୍ତୁ ପୁନର୍ବାର କରୋନା ରୂପ ବଦଳାଇ ପୁଣି ଦହଗଞ୍ଜ କରିଛି ।

ବିଶେଷକରି ଉତ୍କଳିକାର ସମଗ୍ର ଦେଶରେ ୧୪ଟି କାଉଣ୍ଟର ରହିଥିବା ବେଳେ ସେଠାରେ ତାଳପତ୍ର ଖୋଦେଇ କାରିଗରୀ ବିକ୍ରିବଟା ପାଇଁ କିଣି ନିଅନ୍ତି । କିନ୍ତୁ ସେଗୁଡ଼ିକ ବନ୍ଦ ରହିଛି । ଏହା ବ୍ୟତୀତ ବର୍ଷକୁ ୨୪ ଥର ଗାନ୍ଧୀ ଶିଳ୍ପ ବଜାରର ଆୟୋଜନ ହୋଇ ଆସୁଥିବା ବେଳେ ତାହା ବି ବନ୍ଦ ହୋଇଯାଇଛି । ସେହିପରି ରାଜ୍ୟ ସରକାରଙ୍କର ଶିଶିର ସରସ, ତୋଷାଳି, ଆଦିବାସୀ ମେଳା ଭଳି ୧୦ ରୁ ୧୨ ଟି ମେଳାରେ ମଧ୍ୟ ଏହି କଳା କିଣିବା ପାଇଁ ଆଗ୍ରହ ପରିଲକ୍ଷିତ ହୁଏ । ସୂରଜ କୁଣ୍ଡ ମେଳାଠୁ ନେଇ ଟ୍ରେଡ୍‌ ଫେୟାର ମଧ୍ୟ ବନ୍ଦ ରଖାଯାଇଛି । ତେଣୁ କଳାକୃତି ପ୍ରସ୍ତୁତ କରି ମହଜୁଦ ରଖାଯାଇଥିଲେ ହେଁ ବିକ୍ରିବଟା ହୋଇପାରୁନଥିବାରୁ ଶିଳ୍ପୀମାନେ ନିଜର ପାରିଶ୍ରମିକ ପାଉନାହାନ୍ତି । ଏନେଇ ଜାତୀୟ ପୁରସ୍କାରପ୍ରାପ୍ତ ତାଳପତ୍ର ଖୋଦେଇ ଶିଳ୍ପୀ ଶରତ କୁମାର ପ୍ରଧାନ କହିଛନ୍ତି, ରଘୁରାଜପୁର ସମେତ ବଳଙ୍ଗା, ନିମାପଡ଼ା, ପୁରୀ ସହରରେ ମଧ୍ୟ ତାଳପତ୍ର କାରିଗର ଅଛନ୍ତି । ବଙ୍ଗାଳି ପର୍ଯ୍ୟଟକଙ୍କ ସମେତ ବିଦେଶୀମାନେ ଏହି କଳା ପ୍ରତି ରୁଚି ରଖୁଥିବାରୁ ଶିଳ୍ପୀମାନେ ଭଲ ଆୟ କରି ଆସୁଥିଲେ । ଧୀରେଧୀରେ ଯୁବକ ଯୁବତୀମାନେ ମଧ୍ୟ ଏହାକୁ ପେସା କରିବା ଲକ୍ଷ୍ୟରେ ତାଲିମ୍‌ ନେଇ କାମ କରି ଆସୁଥିଲେ । ମାତ୍ର ଅଢ଼େଇ ବର୍ଷ ହେବ ବିକ୍ରିବଟା ବନ୍ଦ ଯୋଗୁ ସେମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି । ଶ୍ରୀ ପ୍ରଧାନଙ୍କ କହିବା ମୁତାବକ, ବଙ୍ଗାଳି ପର୍ଯ୍ୟଟକମାନେ ତାଳପତ୍ର ଖୋଦେଇ କାରିଗରୀ କିଣିବାକୁ ପସନ୍ଦ କରନ୍ତି । କିନ୍ତୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ଯୋଗୁ ବଙ୍ଗାଳି ପର୍ଯ୍ୟଟକ ଆସୁନାହାନ୍ତି କି ଏହାର ବିକ୍ରିବଟା ହେଉନାହିଁ । ତେଣୁ ଅନ୍ତତଃ ସରକାର ଶିଳ୍ପୀମାନଙ୍କୁ କିଛି ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *