ନୀଳଗିରି : ବିପଦରେ ବାଲେଶ୍ୱର ଜିଲ୍ଲାର ଘାଘରା ପୋଲ । ସେରଗଡ଼-ଉଦଳା ୧୯ ନଂ ରାଜ୍ୟ ରାଜପଥର ସଜନାଗଡ଼ ନିକଟରେ ଥିବା ଘାଘରା ପୋଲ ଏବେ ପାଲଟିଛି ମରଣ ଯନ୍ତା । ଛିଡ଼ା ହୋଇ ରହିଥିବା ଏହି ପୋଲଟି କେତେବେଳେ ବି ଭୁଶୁଡ଼ିଯାଇପାରେ । ଆଉ ଅକାଳରେ ଚାଲିଯାଇପାରେ ନିରୀହ ଜୀବନ । ଏକଥା ଆମେ କହୁନୁ ଏ ଦୃଶ୍ୟକୁ ଯିଏ ବି ଦେଖିବେ ତାଙ୍କ ମନରେ ଏମିତି ପ୍ରଶ୍ନ ନିଶ୍ଚୟ ସୃଷ୍ଟି ହେବ । କାରଣ ପୋଲଟି ଧୀରେ ଧୀରେ ଦୁର୍ବଳ ହେବା ସହ ମାଟିରେ ଲୋଟିବାକୁ ବସିଲାଣି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଫଳରେ ଯାତ୍ରୀଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇଯାଇଛି । ଅଦିନିଆ ବର୍ଷା ଯୋଗୁଁ ଘାଘରା ପୋଲ ଭୁଶୁଡ଼ି ପଡ଼ିବାର ମଧ୍ୟ ସମ୍ଭାବନା ରହିଛି । ପୋଲଟି ଭୁଶୁଡ଼ି ପଡ଼ିବା ପରେ ମୟୂରଭଞ୍ଜ ଓ ବାଲେଶ୍ଵରକୁ ଯୋଗାଯୋଗ ବିଚ୍ଛିନ୍ନ ହେବ । ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ହେଲେ କୌଣସି ପଦକ୍ଷେପ ମଧ୍ୟ ନେଇନଥିବା ଅଭିଯୋଗ ହୋଇଛି । ଏହି ଘାଘରା ପୋଲ ରାଜାରାଜୁଡ଼ା ଅମଳରୁ ନିର୍ମିତ ହୋଇଛି । ପୋଲଟି ପୁରୁଣା ହୋଇଯାଇଥିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ପୋଲର ମଧ୍ୟ ନିର୍ମାଣ କରାଯାଉଛି । ଅନେକ ବିଳମ୍ବରେ ବିଭାଗ ପକ୍ଷରୁ ଏହିକାମ ହାତକୁ ନିଆଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇଛି । ହେଲେ ନୂତନ ପୋଲ ନିର୍ମାଣ ପାଇଁ ଘାଘରା ପୋଲର କଡ଼ରୁ ବହୁ ପରିମାଣର ମାଟି କଟାଯାଇଛି । ଯାହା ଦ୍ୱାରା ଘାଘରା ପୋଲଟି ଭୁଶୁଡ଼ିବା ପରି ରହିଛି । ପୋଲ ଉପରେ ଭାରି ଯାନ ଯିବା ଦ୍ୱାରା ମାଟି ଅତଡ଼ା ମଧ୍ୟ ଖସୁଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ସ୍ଥାନୀୟ ଅଞ୍ଚଳବାସୀମାନେ ପୋଲ ନିର୍ମାଣ ସଠିକ୍ ଭାବେ କରିବାକୁ ଦାବି କରିଛନ୍ତି । ଘାଘରା ପୋଲ ବିପଦ ସଂକୁଳନ ଅବସ୍ଥାରେ ଥିବାରୁ ପୋଲ ଉପରେ ଯାତାୟାତକୁ ବନ୍ଦ କରିଛନ୍ତି ବାସିନ୍ଦା । ଏଥିସହ ଖୁବଶୀଘ୍ର ଏହାର ସ୍ଥାୟୀ କାର୍ଯ୍ୟ କରିବାକୁ ଦାବି ହୋଇଛିି ।
