ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଜୁନିଆନୀ ନିକଟରେ କାର ଦୁର୍ଘଟଣାରେ ଦମ୍ପତି ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ରାଉରକେଲାର ଏକ ଦମ୍ପତ୍ତି ନିଜ କାର ଯୋଗେ ଯାଜପୁର ଯାଉଥିବା ସମୟରେ ଜୁନିଆନୀ ନିକଟରେ ବର୍ତ୍ତମାନ ନୂତନ ରାସ୍ତା କାମ ଚାଲିଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କାର୍ଯ୍ୟ ପାଇଁ ରଖାଯାଇଥିବା ରାଖଡ ଉପରେ ଚଢିଯିବା ଫଳରେ ସ୍ବାମୀ, ସ୍ତ୍ରୀ ଦୁହେଁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଥିଲେ । ଖବର ପାଇ ଲହୁଣୀପଡ଼ା ଡ୍ରାଇଭର ମହାସଂଘର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଲହୁଣୀପଡ଼ା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
