ଜାତୀୟ ସବୁଜ ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ବେଆଇନ ବାଲି ଉଠାଣର ତଦନ୍ତ ଜାରି

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ସବଡିଭିଜନ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ପଠାର କେନାପାଲି ବାଲିଘାଟକୁ ଅନେକ ଦିନ ଧରି ସମ୍ବାଦପତ୍ରର ଶିରୋନାମା ପାଲଟି ଥିବା ବେଆଇନ ବାଲି ଉଠାଣକୁ ନେଇ ଚର୍ଚ୍ଚା ପୁଣି ଥରେ ଲୋକ ଲୋଚନକୁ ଆସିଛି । ପୂର୍ବରୁ ବାଲିଘାଟରୁ ବାଲି ଉଠାଣ ଓ ପରିବହନକୁ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଦୁଃଖ ଶୁଣି ନ ଥିଲା, ୪ଟି ଗ୍ରାମର ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେବା ସହିତ ଅତିଷ୍ଠ ହୋଇ ଶେଷରେ ଏନଜିଟିଙ୍କ ଦ୍ଵାରସ୍ଥ ହୋଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗର ସତ୍ୟତାକୁ ଭିତ୍ତି କରି ଏନଜିଟି ଏହାକୁ ଗୁରୁତର ସହିତ ବିଚାରକୁ ନେବା ସହିତ ଏକ ପାଞ୍ଚ ଜଣିଆ କମିଟି ଗଠନ କରି ଚାରି ସପ୍ତାହ ମଧ୍ୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀଙ୍କ ୧୨ଟି ଅଭିଯୋଗ ଉପରେ ଆଧାର କରି ଗତକାଲି ଏହି ଉଚ୍ଚ ସ୍ତରୀୟ ତଦନ୍ତ ଟିମରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ, ଖଣି ବିଭାଗର ଆଞ୍ଚଳିକ ଅତିରିକ୍ତ ନିର୍ଦ୍ଦେଶକ, ଲହୁଣୀପଡା ତହସିଲଦାର ପ୍ରମୁଖ ଗ୍ରାମବାସୀଙ୍କ ଉପସ୍ଥିତିରେ ବାଲିଖନନର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *