ଅଭିଯୁକ୍ତଙ୍କ ଠାରୁ ଟିକେଟ୍‌ ଫେରାଇ ନେଲେ ବିଜେଡି

ଛତ୍ରପୁର : ଯେଉଁ ୨ ଅଭିଯୁକ୍ତଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରି ସମାଲୋଚନାର ଶରବ୍ୟ ହୋଇଥିଲେ, ଶେଷମୁହୂର୍ତ୍ତରେ ସେମାନଙ୍କ ଠାରୁ ଟିକେଟ୍‌ ଫେରାଇ ନେଇଛି ବିଜେଡି । ସମ୍ପୃକ୍ତ ଜୋନ୍‌ରେ ଆଉ ୨ ଜଣଙ୍କୁ ଦଳ ପ୍ରାର୍ଥୀ କରିଛି ଏବଂ ସେମାନେ ଆଜି ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ସୁଲୁ ସ୍ବାଇଁ । ସୁଲୁଙ୍କୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ପ୍ରାର୍ଥୀ କରାଯାଇଥିଲା । ସୁଲୁଙ୍କ ନାଁରେ ଖଲ୍ଲିକୋଟ ଜେଏମ୍‌ଏଫ୍‌ସି କୋର୍ଟରେ ୧୦ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ଏହାସତ୍ତ୍ବେ ଦଳ ତାଙ୍କୁ ଟିକେଟ୍ ଦେବା ପରେ ସେ ଗତ ୧୯ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଦଳର ଏଭଳି ନିଷ୍ପତ୍ତିକୁ ନେଇ ରାଜନୈତିକ ବିଶେଷଜ୍ଞ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଲୁଙ୍କ ଟିକେଟ୍ ନାକଚ କରି ସେହି ଜୋନ୍‌ ପାଇଁ ସୋନମ୍‌ ପଲାଇଙ୍କୁ ସୁଯୋଗ ଦେଇଛନ୍ତି । ଆଜି ସୋନମ୍ ବିଧିବଦ୍ଧ ଭାବେ ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ର ୨ ନଂ ଜିଲ୍ଲା ପରିଷଦ ଜୋନ୍ ଶାସକ ବିଜେଡି ଅଡୁଆ ସ୍ଥିତି ସୃଷ୍ଟି କରିଛି । ଆଶାୟୀ ପ୍ରାର୍ଥୀଙ୍କ ସମ୍ପର୍କରେ ତିନିସ୍ତରୀୟ ଯାଞ୍ଚ୍‌ ପରେ ବି ଦଳ ବେଦାନ୍ତ ଲିମିଟେଡ୍‌ ପୋଡାଜଳା ମାମଲାର ଜଣେ ଫେରାର ଅଭିଯୁକ୍ତ ସୁବାସ ନାଏକଙ୍କୁ ଟିକେଟ୍ ପ୍ରଦାନ କରିଥିଲା । ଗୁରୁବାର ସେ ଦଳୀୟ ଟିକଟ୍‌ ସହିତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ହୋଇଥିଲା, ତାଙ୍କ ନାମରେ ଫେରାର ଅଭିଯୁକ୍ତର ଅଭିଯୋଗ ଥିବା ସମ୍ପର୍କରେ ତଥ୍ୟଭିତ୍ତିକ ଖବର ପ୍ରକାଶିତ ହୋଇଥିଲା । ପ୍ରକାଶିତ ଖବରକୁ ଗୁରୁତ୍ୱ ସହିତ ନେଇ ଦଳ ଶୁକ୍ରବାର ସୁବାସଙ୍କ ଟିକଟ୍‌କୁ ବାତିଲ କରିଛି । ଏହା ସହିତ ଦଳ ପକ୍ଷରୁ ଅନ୍ୟତମ ଆଶାୟୀ ପରୀକ୍ଷିତ ନାଏକଙ୍କୁ ଟିକଟ୍‌ ପ୍ରଦାନ କରାଯାଇଛି । ଦଳୀୟ ଟିକଟ୍‌ ବାତିଲ ହେବା ପରେ ଏବେ ସୁବାସ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନରେ ରହିଥିବାବେଳେ ଶୁକ୍ରବାର ଶେଷ ମୁହୂର୍ତ୍ତରେ ପରୀକ୍ଷିତ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *