ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର୍‌) ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସିଲ୍‌

ବୁର୍ଲା : ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର୍‌) ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି । ଏକ ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ୍ ଏହି ନିର୍ଦ୍ଦେଶ ଦେଇଥିଲେ । ଦୌରାଜଜଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ଦୁଇଜଣ କୋର୍ଟ କର୍ମଚାରୀ ଭିମ୍‌ସାର୍‌ରେ ପହଞ୍ଚି ଅଧ୍ୟକ୍ଷା ପ୍ରଫେସର ଡା. ଜୟଶ୍ରୀ ଦୋରାଙ୍କୁ ଭେଟିବା ସହିତ କିଛି ସମୟ କଥାବାର୍ତ୍ତା ପରେ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶପତ୍ର ଦେଖାଇଥିଲେ । ଏହାପରେ କାର୍ଯ୍ୟାଳୟକୁ ସିଲ୍‌ କରିଥିଲେ । ଏଥିସହିତ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ ଆସବାବପତ୍ର, ଅଧ୍ୟକ୍ଷାଙ୍କ ଅଫିସ କାର୍‌ ନମ୍ବର (ଓଡି-୧୫ଏଚ-୦୮୩୩), ଦୁଇଟି ବସ୍‌  (ଓଆର-୧୫ଏଚ-୦୯୫୫ ଏବଂ ଓଆର୍‌ ୦୨-ବିଭି-୫୯୯୪) ସମେତ ଏଷ୍ଟାବିଲିସମେଣ୍ଟ ସେକ୍ସନ ଓ ଆକାଉଣ୍ଟ ବିଭାଗର ସମସ୍ତ କମ୍ପ୍ୟୁଟର୍‌, ଆଲମିରାକୁ ଜବତ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଭିମ୍‌ସାର୍‌ରେ କାର୍ଯ୍ୟରତ ୨୩ ଜଣ କର୍ମଚାରୀଙ୍କୁ ୨୦୦୭ ମସିହାରେ ଚାକିରିରୁ ବହିଷ୍କୃତ କରି ସେହି ସ୍ଥାନରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଚାକିରି ହରାଇଥିବା କର୍ମଚାରୀ ସେମାନଙ୍କୁ ବେଆଇନ ଭାବରେ ବହିଷ୍କାର କରାଯାଇଥିବା ଦର୍ଶାଇଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ଏଥିନେଇ ଜିଲ୍ଲା ଶ୍ରମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ, ଶ୍ରମ କୋର୍ଟ ଏହି ମାମଲାକୁ ଜିଲ୍ଲା ଦୌରାଜଜଙ୍କୁ ହସ୍ତାନ୍ତର କରିଥିଲେ । ମାମଲାର ଶୁଣାଣି କରି ଆଜି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଥିଲେ । ଅନ୍ୟପଟେ କୋର୍ଟର ଦ୍ୱାରସ୍ଥ ହୋଇଥିବା ତିନି ଜଣ କର୍ମଚାରୀ ବୁର୍ଲା ନିବାସୀ ରେବତୀକାନ୍ତ କଲେତ (୩୮/ସଫେଇ କର୍ମଚାରୀ)ଙ୍କୁ ୨୫ ଲକ୍ଷ ୩୧ ହଜାର ୩୭୫ ଟଙ୍କା, ଢେଙ୍କାନାଳ ନିବାସୀ କ୍ଷୀରୋଦ କୁମାର ସାହୁ (୪୫/ ଗେଟ୍‌ କିପର ଓ ଇଲେକ୍ଟ୍ରିସିଆନ)ଙ୍କୁ ୨୯ ଲକ୍ଷ ୬୫ ହଜାର ୮୯୧ ଟଙ୍କା ଏବଂ ବରଗଡ଼ ଜିଲ୍ଲା ଅତାବିରା ନିବାସୀ ଶମ୍ଭୁନାଥ ସାହୁ (୪୩/ଅଟେଣ୍ଡାଣ୍ଟ)ଙ୍କୁ ୨୫ ଲକ୍ଷ ୪୬ ହଜାର ୮୧୩ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଭିମ୍‌ସାର୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏ ବାବଦରେ ଭିମ୍‌ସାର୍‌ ଅଧ୍ୟକ୍ଷା ଡା. ଦୋରାଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *