ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଗ୍ରାମବାସୀ, ବିଦ୍ୟୁତ ସମସ୍ୟାର ସମାଧାନ ନ ହେଲେ ଭୋଟ୍ ବର୍ଜନ

ସୁନ୍ଦରଗଡ : ଭୋଟ୍ ବର୍ଜନ କଲେ ଗାଁ ଲୋକେ । ମତଦାନ କରିବେନି ବୋଲି ନେଲେ ନିଷ୍ପତ୍ତି । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଦର୍ଜିଂ ପଞ୍ଚାୟତ ଅଧିନସ୍ଥ ଥିବା କୋଇଲିଝର, ଲୁଧୁଣି, ଢେଙ୍କିଆମ, ଗହମି ୪ଟି ଗ୍ରାମର ଲୋକେ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଏହି ୪ ଗ୍ରାମ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ରହିଛି । ତେଣୁ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଲୋକେ । ଉକ୍ତ ୪ଟି ଗ୍ରାମରେ ସ୍ୱଧୀନତାର ୭୩ ବର୍ଷ ପରେ ବି ବିଜୁଳି ପହଁଚି ପାରିନାହିଁ । ୪ ଗ୍ରାମରେ ୮ ଶହ ରୁ ଉର୍ଦ୍ଧ୍ବ ଭୋଟର ଥିବାବେଳେ ଏମାନେ ବିଦ୍ୟୁତ ଲାଇନରୁ ବଞ୍ଚିତ ରହିଛନ୍ତି । ଅନ୍ଧକାରରେ ସେମାନଙ୍କ ଜୀବନ କଟୁଛି । ଯାହା ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଲାମାନଙ୍କ ପାଠପଢା ଠାରୁ ଆରମ୍ଭ କରି ଗାଁ ଲୋକେ ନାନା ଦହଗଞ୍ଜର ଶିକାର ହେଉଛନ୍ତି ।

ବିଦ୍ୟୁତ ସଂଯୋଗ ନଥିବାରୁ ସରକାରଙ୍କ ପକ୍ଷରୁ ଗ୍ରାମରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସୋଲାର ସବୁ ଅଚଳ ଅବସ୍ଥାରେ ପଡିରହିଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ ଓ ସହରରେ ବିଦ୍ୟୁତ ଯୋଗାଣ ରହିଥିବା ବେଳେ ଏଠି ଏଯାଏଁ ବିଜୁଳି ପହଁଚିନି । ଫଳରେ ଶତାଧିକ ଭୋଟର ଭୋଟ୍ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯେ ପର୍ଯ୍ୟନ୍ତ ୪ଟି ଗ୍ରାମରେ ବିଦ୍ୟୁତ ସମସ୍ୟାର ସମାଧାନ କରା ନଯାଇଛି ସେମାନେ ବୁଥକୁ ଯିବେ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *