ଚୌଦ୍ୱାର : ଚୌଦ୍ୱାରରେ ଗୁଳି ଫୁଟାଇ ଜଣେ ସୁନା ଦୋକାନୀଙ୍କ ଠାରୁ ସୁନା, ରୁପା ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି ୩ ଜଣ ଦୁର୍ବୃତ୍ତ । ବୁଧବାର ରାତି ପ୍ରାୟ ସାଢେ ନଅଟା ପାଖାପାଖି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବୁଲେଟ୍ରେ ଆସି ସୁନା ଦୋକାନୀ ଦେବେନ୍ଦ୍ର ମହାରଣାଙ୍କ ଉପରକୁ ଗୁଳି ଚଳାଇ ଏଭଳି ଲୁଟପାଟ୍ କରିଛନ୍ତି । ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଫୁଟାଇ ଥିବା କୁହାଯାଉଥିବା ବେଳେ ଦେବେନ୍ଦ୍ରଙ୍କ ଦେହରେ ୩ଟି ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଚୌଦ୍ବାର ଗ୍ରାମ ବଣିଆ ସାହିର ବାସିନ୍ଦା ଦେବେନ୍ଦ୍ର ଗାନ୍ଧୀ ଛକରେ ସୁନା ଦୋକାନ କରିଛନ୍ତି । ପୂର୍ବରୁ ତାଙ୍କ ଦୋକାନରୁ ଏକାଧିକଥର ଚୋରି ହୋଇଥିବା ବେଳେ ସେ ଟଙ୍କା, ସୁନା ଇତ୍ୟାଦି ଧରି ପ୍ରତ୍ୟେକ ଦିନ ଘରକୁ ଫେରନ୍ତି । ଦେବେନ୍ଦ୍ର ବୁଧବାର ଦିନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଚୌଦ୍ୱାର ଗ୍ରାମ ଗାର୍ଲସ ହାଇସ୍କୁଲ ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହିତ ଧମକ ଦେଇ ଗୁଳି ଫୁଟାଇଥିଲେ । କିନ୍ତୁ ଦେବେନ୍ଦ୍ର ଟଙ୍କା, ସୁନା ନ ଦେବାରୁ ସେମାନେ ଦୁଇଟି ଗୁଳି ତାଙ୍କ ବାମ ଗୋଡ଼କୁ ଏବଂ ଗୋଟିଏ ଗୁଳି ଡାହଣ ଗୋଡ଼କୁ ଲକ୍ଷ୍ୟକରି ଫୁଟାଇଥିଲେ । ଦେବେନ୍ଦ୍ର ଘଟଣାସ୍ଥଳରେ ପଡ଼ିଯାଇଥିବା ବେଳେ ସେମାନେ ତାଙ୍କ ସ୍କୁଟିରୁ ସୁନା, ଟଙ୍କା ଥିବା ବ୍ୟାଗ ଲୁଟି ନେଇ ଚମ୍ପଟ ମାରିଥିଲେ । ଏଥିରେ ୧୦ ଭରିରୁ ଅଧିକ ଓଜନର ସୁନା ଅଳଙ୍କାର, ପାଖାପାଖି ୫ କିଲୋ ଚାନ୍ଦି ଅଳଙ୍କାର, ୧୫ ହଜାର ଟଙ୍କା ଥିଲା । ସ୍ଥାନୀୟ ଲୋକେ ଦେବେନ୍ଦ୍ରଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ । କଟକ ଡିସିପି ପ୍ରତୀକ ସିଂହ, ଚୌଦ୍ବାର ଥାନା ଆଇଆଇସି ବିରଂଚି ନାରାୟଣ ପତି, ସାଇଣ୍ଟିଫିକ୍ ଟିମ୍ ସଦସ୍ୟ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ୪ଟି ଖୋକା ମିଳିଛି । ଦୁର୍ବୃତ୍ତମାନେ ଚୌଦ୍ୱାର ରାଜପଥ ଦେଇ ଖସି ଯାଇଥିବା କୁହାଯାଉଛି । ଏ ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ଏବଂ ଚଢଉ ଆରମ୍ଭ କରିଛି ।
