ଥାନା ସମ୍ମୁଖରେ ନିର୍ମମ ହତ୍ୟାକାଣ୍ଡ, ଭାଇର ଟାଙ୍ଗିଆ ଚୋଟରେ ଭଉଣୀର ମୃତ୍ୟୁ

ନାକ୍‌ଟିଦେଉଳ : ସମ୍ବଲପୁର ଜିଲ୍ଲା କିସିଣ୍ତା ଥାନା ସମ୍ମୁଖରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଭାଇର ଟାଙ୍ଗିଆ ଚୋଟରେ ଭଉଣୀ ପ୍ରାଣ ହରାଇଛି । ମୃତ ମହିଳା ଜଣକ ନିଜ ଭାଇ ବିରୋଧରେ ଅଭିଯୋଗ ଆଣିବା ପାଇଁ ଥାନା ନିକଟରେ ପହଞ୍ଚିଥିଲେ । ମାତ୍ର, ଅଭିଯୋଗ କରିବା ପୂର୍ବରୁ ଭାଇ ହାତରେ ତାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମୃତ ମହିଳା ହେଲେ କିସିଣ୍ତା ଥାନା ଲୋଇସିଂଗ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର(୩୨) । କୁମାରୀଙ୍କ ସହିତ ତାଙ୍କ କକାପୁଅ ଭାଇ କ୍ଷୀରୋଦ ରୋହିଦାସର କୌଣସି କାରଣକୁ ନେଇ ବିବାଦ ହୋଇଥିଲା । ଏହି ବିବାଦ ଆଜି ଉଗ୍ରରୂପ ନେଇଥିଲା । ଶେଷ‌ରେ, ନିରୁପାୟ ହୋଇ କୁମାରୀ ଥାନାର ଦ୍ବାରସ୍ଥ ହେବାକୁ ଚିନ୍ତା କରିଥିଲେ ଏବଂ ନ୍ୟାୟ ଆଶାରେ କିସିଣ୍ଡା ଥାନାକୁ ବାହାରିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ସମୟରେ କିସିଣ୍ତା ଥାନା ନିକଟରେ ପହଞ୍ଚିଲାବେଳକୁ ପଛପଟୁ ଆସି ଅତର୍କିତ ଆକ୍ରମଣ କରିଥିଲା କ୍ଷୀରୋଦ । କ୍ଷୀରୋଦ ଟାଙ୍ଗିଆରେ ଚୋଟ ପକାଇଥିଲା । ଘଟଣାସ୍ଥଳରେ ହିଁ କୁମାରୀ ତଳେ ଟଳି ପଡ଼ିଥିଲେ । ପୁଲିସ ପହଞ୍ଚିବା ପୂର୍ବରୁ କ୍ଷୀରୋଦ ଫେରାର୍ ହୋଇଯାଇଥିଲା । ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଥାନା ସମ୍ମୁଖରେ ଏହିଭଳି ଘଟଣା ଘଟିବା ଏବଂ ଅଭିଯୋଗ କରିବା ପୂର୍ବରୁ ମହିଳା ପ୍ରାଣ ହରାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *