କାମରେ ଆସୁନାହିଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ

ଦଶପଲ୍ଲା : ନିର୍ବାଚନକୁ ମୋହରା ସଜାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହା ଏବେ ଭେଳିକିରେ ପରିଣତ ହୋଇଛି । ଏହି ଯୋଜନାରେ ସରକାର ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ଯୋଗାଇବା ସହ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଅର୍ଥାତ୍ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସେବା ଯୋଗାଇ ଦେବାକୁ ଘୋଷଣା କରାଯାଇଛି । କେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ତ ପୁଣି କେଉଁଠି ନାହିଁ । ଏପରିକି ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆଡମିସନ୍ କରିବା ପରେ ରୋଗୀଙ୍କ ସମ୍ପର୍କିୟଙ୍କୁ ନିରୁତ୍ସାହିତ କରାଯାଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ସ୍ଥାନୀୟ ଟାଙ୍ଗିଆପଲ୍ଲୀ ଗ୍ରାମର ସୁଲୋଚନା ବେହେରାଙ୍କ ଭାଇ ସନ୍ତୋଷ ନାୟକ ।

ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖ ଦିନ ସୁଲୋଚନା ତାଙ୍କ ପୁଅ ସହ ଡିହଗାଁ ଅଭିମୁଖେ ଯାଉଥିବା ସମୟରେ ଗାଡିରୁ ଖସି ପଡିଥିଲେ । ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗି ସଂଜ୍ଞାହୀନ ହୋଇପଡିଥିଲେ । ତାଙ୍କୁ ଭୁବନେଶ୍ବର ସ୍ଥିତ ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ କାର୍ଡ ରହିଛି । ଏହି କାର୍ଡ ଚିକିତ୍ସାରେ ସହାୟକ ହୋଇପାରିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଥିଲା । ତାଙ୍କୁ ଆଡମିସନ କରାଯିବା ପରେ ବୁଧବାର ସକାଳ ସୁଦ୍ଧା ୨ ଲକ୍ଷ ୬୦ ହଜାର ଟଙ୍କାର ବିଲ୍ ଦିଆଯାଇଛି । ଏହା ମଧ୍ୟରେ ସେ ୧ ଲକ୍ଷ ୩୦ ହଜାର ଟଙ୍କା ଜମା କରିସାରିଛନ୍ତି, ହେଲେ ଅବଶିଷ୍ଟ ଟଙ୍କା ଜମା କରିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦାବି କରାଯାଉଛି ।

ଏପଟେ ସେ ଗରିବ ଶ୍ରେଣୀୟ ହୋଇଥିବାରୁ ସ୍ବାସ୍ଥ୍ୟକାର୍ଡରୁ ଟଙ୍କା କାଟିବା ପାଇଁ କୁହାଯାଉଛି, ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ୪୦ ଟି କାର୍ଡର ସୁବିଧା ରହିଛି । ଯାହାକି ସବୁ ପୂରଣ ହୋଇଯାଇଥିବା ବେଳେ ଅପେକ୍ଷା କରିବାକୁ କହି ଅବଶିଷ୍ଟ ଟଙ୍କା ଦାବି କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ଏହା ମଧ୍ୟରେ ସୁଲୋଚନାଙ୍କ ଅସ୍ତ୍ରୋପଚାର ଶେଷ ହୋଇଥିବା ବେଳେ ସେ ସଂଜ୍ଞହୀନ ରହିଛନ୍ତି । ସଂଜ୍ଞା ଆସିବାକୁ ସମୟ ଲାଗିବ ବୋଲି କୁହାଯାଉଛି । ଏହା ମଧ୍ୟରେ ସମସ୍ତ ଟଙ୍କା ପୈଠ କରିବାକୁ କୁହାଯିବା ଦ୍ବାରା ପାଖରେ କାର୍ଡ ଥାଇ ମଧ୍ୟ ଏହା କାମରେ ଆସୁନାହିଁ । ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟିଦେବା ଆବଶ୍ୟକ ହୋଇପଡିଛି ।

Leave a Reply

Your email address will not be published. Required fields are marked *