ମତଦାନର ୪୮ ଘଣ୍ଟା ପୂର୍ବରୁ ଏବଂ ମତଦାନ ପରଦିନ ପର୍ଯ୍ୟନ୍ତ ମଦ ବିକ୍ରୟ ଓ ବଣ୍ଟନ ନିଷିଦ୍ଧ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି । ମତଦାନର ୪୮ ଘଣ୍ଟା ପୂର୍ବରୁ ଏବଂ ମତଦାନ ପରଦିନ ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ନିର୍ବାଚନ ହେବାକୁ ଥିବ ସେଠାରେ ମଦ ବିକ୍ରୟ ଓ ବଣ୍ଟନ ଉପରେ ନିଷେଧାଦେଶ ଜାରିକରି ରାଜ୍ୟ ଅବକାରୀ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି । ଏହି ସମୟରେ ଅନ୍ୟ ସ୍ଥାନକୁ ମାଦକ ଦ୍ରବ୍ୟର ପରିବହନ, ହୋଟେଲ କିମ୍ବା ରେସ୍ତୋଁରା, ଦୋକାନରେ ଅବା ଅନ୍ୟ କୌଣସିଠାରେ ମଦ ବ୍ୟବହାର କରାଯାଇପାରିବନାହିଁ ବୋଲି ନିର୍ବାଚନ ଆୟୁକ୍ତ ସମସ୍ତ ପ୍ରକାରର ବାରଣ କରିଛନ୍ତି । ଆଗାମୀ ଫେବ୍ରୃଆରୀ ୧୪ ତାରିଖ ସନ୍ଧ୍ୟା ୫ଟା ରୁ ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ପୁଲିଂ ଅଧିକାରୀ, ପୁଲିସ୍ ଅଧିକାରୀ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର କିମ୍ବା ମତଦାନ କେନ୍ଦ୍ର ଆଖପାଖ ଅଞ୍ଚଳରେ ରହିପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ସଂପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି । ସେହିପରି ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଉପରେ ନିର୍ବାଚନ ଆୟୁକ୍ତ ଗୁରୁତ୍ୱାରୋପ କରିଛନ୍ତି ।

Leave a Reply

Your email address will not be published. Required fields are marked *