କଲମପୁର : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନ ବାର୍ଷୀକୋଣା, ବିରାଗୁଡା, ମୁଣ୍ଡିଚୁଆଁ ଓ ଗମ୍ଭାରିଗୁଡା ଗାଁର ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନେଇଛନ୍ତି ନିଷ୍ପତ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବା, ଏଥିସହିତ ଏହି ଚାରିଖଣ୍ଡ ଗାଁକୁ ନେଇ ଏକ ଓ୍ବାର୍ଡର ମାନ୍ୟତା ସହ ବାର୍ଷୀକୋଣା ଠାରେ ମତଦାନ କେନ୍ଦ୍ର କରାଯିବା ନେଇ ଦାବୀ ରଖିଛନ୍ତି । ପିଡିଏସ୍ ଚାଉଳ, କିରୋସିନ ଏବଂ ଅସହାୟଙ୍କ ପାଇଁ ମିଳୁଥିବା ଭତ୍ତା ଭଳି ସରକାରୀ ସହାୟତା ପାଇବାରେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଥିବା ଘଟଣା ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଗ୍ରାମଗୁଡିକ ଥୁଆମୂଳ ରାମପୁର ବ୍ଲକର ହୋଇଥିବାବେଳେ ଗମନାଗମନର ସିଧାସଳଖ ବ୍ୟବସ୍ଥା ହୋଇପାରିନି । ପାହାଡ ତଳେ ଥିବା ଏହି ଗ୍ରାମ ସବୁ ଜୁନାଗଡ ବ୍ଲକର ସୀମାନ୍ତରେ ରହିଛି । ନିଜ ଗ୍ରାମ ପଞ୍ଚାୟତ ଅବା ନିଜ ବ୍ଲକ କାର୍ଯ୍ୟାଳୟକୁ କୌଣସି କାର୍ଯ୍ୟ ନେଇ ଯିବାକୁ ହେଲେ ପାହାଡ ଉପରେ ପାହାଡ ଚଢି ବିପଦପୂର୍ଣ୍ଣ ସଂକୀର୍ଣ୍ଣ ପାଦଚଲା ୨୦ କି:ମି ର ରାସ୍ତା ଉପରେ ନିର୍ଭର କରିବାକୁ ପଡିଥାଏ । ଅପହଞ୍ଚ ଆମ୍ବୁଲାନ୍ସ ସେବା ଓ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ରୋଗୀସେବା ଓ ଗାଁର ଛୁଆମାନଙ୍କ ପାଇଁ ଆସୁଥିବା ସରକାରୀ ବ୍ୟବସ୍ଥା ପାଇବାରୁ ବଞ୍ଚିତ ହେବାକୁ ପଡୁଥିବା ବିଷୟ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିରାଶ ହେବାକୁ ପଡିଛି । ଯାହାକୁ ନେଇ ଗତ ଦୁଇଟି ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ଏବଂ ଚଳିତ ୨୦୨୨ ତ୍ରିସ୍ତରୀୟ ନିର୍ବାଚନକୁ ମଧ୍ୟ ବର୍ଜନ କରିବେ ବୋଲି ଥୁଆମୂଳ ରାମପୁର ବିଡିଓଙ୍କୁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବ୍ଲକ ପ୍ରଶାସନ ଏନେଇ କିଭଳି ପଦକ୍ଷେପ ନେବେ ତାହା ଦେଖିବା ବାକି ରହିଲା ।
